ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ହାତରେ ମାତ୍ର ଆଉ ଗୋଟିଏ ମାସ । ଏଥିପାଇଁ ବିଏମସି କର୍ମଚାରୀଙ୍କ ନିଦ ହଜି ଯାଇଛି । ସମୟ ସରିବାକୁ ଆସିଲାଣି କିନ୍ତୁ ଏପର୍ଯ୍ୟନ୍ତ ପୁରା ହୋଇପାରୁନି ଟାର୍ଗେଟ ।
ବିଏମସି ଚଳିତବର୍ଷ ରାଜସ୍ୱ ଆଦାୟର ଟାର୍ଗେଟ ପୁରା କରିବା କିଛି ଦିନ ହେବ ନୂଆ ନୂଆ ଉପାୟ ଆପଣେଇବାରେ ଲାଗିଛି । କେତେବେଳେ କିନ୍ନରଙ୍କ ଦ୍ୱାରା ଟ୍ୟାକ୍ସ ଆଦାୟ କରାଯାଉଛି ତ କେତେବେଳେ କଡା କାର୍ଯ୍ୟାନୁଷ୍ଠାନର ଭୟ ଦେଖାଇ ଟ୍ୟାକ୍ସ ଆଦାୟ କରାଯାଉଛି ।
ମାତ୍ର ଏବେ ହାତରେ ସମୟ ବହୁତ କମ ଥିବାରୁ ବିଏମସି କର୍ତ୍ତୁପକ୍ଷ ନିଜ କର୍ମଚାରୀ ମାନଙ୍କୁ ଛାଟ ମାରିବା ଆରମ୍ଭ କରିଛନ୍ତି । ବିଶେଷ କରି ୱାର୍ଡ ଅଫିସର ଓ ୱାର୍ଡ ସୁପରଭାଇଜର ମାନେ ସମୟ ଭିତରେ ଟାର୍ଗେଟ ରାଜସ୍ୱ ଆଦାୟ ନକରିପାରିଲେ ଦୁଇମାସର ଦରମା କଟାଯିବ ।
ବିଏମସି କର୍ତ୍ତୁପକ୍ଷଙ୍କ ସୂଚନା ଅନୁଯାଇ ଏଣିକି ୱାର୍ଡ ଅଫିସର ମାନଙ୍କ କାର୍ଯ୍ୟ ପ୍ରତିଦିନ ସମୀକ୍ଷା କରାଯିବ । ଏଥିରେ ସେମାନେ କେତେ ଟଙ୍କା ଆଦାୟ କଲେ, କେତେ ଘରର ମୂଲ୍ୟାୟନ କଲେ, କେତେ ଜଣଙ୍କର ଅନଲାଇନରେ ଏଣ୍ଟ୍ରି କଲେ ସବୁ ତଥ୍ୟ ବିଏମସିର ବରିଷ୍ଠ ଅଧିକାରୀମାନେ ସବୁଦିନ ଯାଞ୍ଚ କରିବେ ।