କଟକ (ଏଟିଆର ବ୍ୟୁରୋ ) ; ମହାନଦୀରୁ ମହାଯାତ୍ରା । ଆକଷ୍ମିକ ମାଡିଆସିଲା ମୃତ୍ୟୁ । ବସ ଯାତ୍ରା ବନିଗଲା ଜୀବନର ଶେଷଯାତ୍ରା । ରକ୍ତରେ ଭିଜିଲା ମହାନଦୀ ବାଲି । ଗତକାଲି ରାତିରେ ଘଟିଥିବା ଦୁଃଖଦ ବସ ଦୁର୍ଘଟଣା ସାରା ରାଜ୍ୟକୁ ଦୋହଲାଇଦେଇଥିବା ବେଳେ ମୃତକଙ୍କ ପରିବାର ଆଖିରୁ ଏଯାଏଁ ଶୁଖିନି ଲୁହ । ସମସ୍ତେ ଗତକାଲିର ବସ ଦୁର୍ଘଟଣାକୁ ନେଇ ସ୍ତବ୍ଦ । ଖାଲି ଓଡିଶା କାହିଁକି ପୂରା ଦେଶରେ ଏ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏମିତିକି ଜାତୀୟ ଗଣମାଧ୍ୟମରେ ମଧ୍ୟ ଏଭଳି ଦୁଃଖଦ ଘଟଣାକୁ ନେଇ ଖବର ପ୍ରସାରଣ ହେବା ସହ ଆଲୋଚନା ହୋଇଛି । ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ସଂକ୍ରାନ୍ତରେ ଖବର ପାଇବା ପରେ ଟ୍ୱିଟ କରି ସମବେଦନା ଜଣାଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବସ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଘଟଣାସ୍ଥଳକୁ ପରିଦର୍ଶନରେ ଯାଇଥିଲେ । ବାସ୍ତବିକ ଏଭଳି ଦୁର୍ଘଟଣା ସମ୍ପୁର୍ଣ୍ଣ ଦେଶବାସୀଙ୍କୁ ଦୁଃଖିତ କରିଛି ।
ଗତକାଲି ତାଳଚେରରୁ କଟକ ଅଭିମୁଖେ ଆସୁଥିବା ଜଗନ୍ନାଥ ନାମକ ବସଟି ଜଗତପୁରରୁ ଶିଖରପୁର ମଧ୍ୟରେ ଥିବା ମହାନଦୀ ପୋଲରୁ ନଦୀ ବାଲିରେ ଖସିପଡିଥିଲା । ହଠାତ ରକ୍ତରେ ଭିଜିଗଲା ମହାନଦୀର ବାଲି । ଏଯାଏଁ ଯାଇଛି ୧୦ ଜଣଙ୍କ ଜୀବନ । ମୃତ୍ୟୂ ସଂଖ୍ୟା ଆହୁରୀ ବଢିବ ବୋଲି ଅନୁମାନ ମଧ୍ୟ କରାଯାଉଛି । ଏପରି ସ୍ଥିତିରେ ଦୁର୍ଘଟଣାର ଗମ୍ଭିରତାକୁ ବୁଝିବା ଅତ୍ୟନ୍ତ କଷ୍ଟଦାୟକ । ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରୁଥିବା ଯାତ୍ରୀଟିର ଭାଗ୍ୟରେ ମୃତ୍ୟୁ ଥିବା ଜାଣି ନଥିଲା ସେ । କୁହାଯାଏ ମୃତ୍ୟୁ ସୂଚନା ଦେଇ ଆସେନି । ଆଉ କାଲିର ଦୁର୍ଘଟଣା ଏହାର ଉଦାହରଣ । ମୃତ ୧୦ ଜଣଙ୍କ ମଧ୍ୟରେ ୭ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ରହିଛନ୍ତି । ସେହିପରି ୭ ଜଣଙ୍କ ଅବସ୍ଥା ଏବେ ମଧ୍ୟ ଗୁରୁତର ହୋଇରହିଛି । ସେମାନଙ୍କୁ ଏସସିବିର ଆଇସିୟୁରେ ରଖାଯାଇଛି ।ସେହିପରି ଦୁର୍ଘଟଣାରେ ଆହତ ଅନ୍ୟ ୩୫ ଜଣ ବ୍ୟକ୍ତି ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେ ସମସ୍ତଙ୍କ ଅବସ୍ଥା ଏବେ ସ୍ଥିର ଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ , ଗତକାଲି ଦୁର୍ଘଟଣାରେ ମୋଟ ୧୦ ଟି ମୃତ ଦେହ ଓ ୫୦ ଜଣ ଗୁରୁତର ଆହତଙ୍କୁ କଟକ ବଡ ଡାକ୍ତଖାନରେ ଭର୍ତ୍ତି କରାଯାଇଥିଲା । ୫୦ ଜଣ ଆହତଙ୍କ ମଧ୍ୟରୁ ୮ ଜଣଙ୍କୁ ସେମାନଙ୍କ ପରିବାର ସହମତିରେ ନିଆଯାଇ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ତେବେ ଅନ୍ୟ ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତ୍ତର ହୋଇରହିଛି । ସେମାନଙ୍କ ମଧ୍ୟରୁ ୩ ଜଣ ସେଣ୍ଟ୍ରାଲ ଆଇସିୟୁରେ ଥିବା ବେଳେ ୪ ଜଣ ଟ୍ରମା ଆଇସିୟୁରେ ଅଛନ୍ତି ।
ସେପଟେ ଦୁର୍ଘଟଣାର ପ୍ରକୃତ କାରଣ କୁ ନେଇ ଲୋକମାନେ ଦ୍ୱନ୍ଦରେ ପଡିଯାଇଛନ୍ତି । ଘଟଣାସ୍ଥଳରେ ଥିବା ପ୍ରତ୍ୟକ୍ଷଦର୍ଶୀ ବସ ଦୁର୍ଘଟଣାକୁ ନେଇ ଭିନ୍ନ ଭିନ୍ନ ମତ ରଖିଛନ୍ତି । ମଇଁଷି ସାମନାକୁ ଆସିବା କାରଣରୁ ବସ ଦୁର୍ଘଟଣା ଗ୍ରସ୍ଥ ହୋଇଥିବା କେହି କେହି କହୁଥିବା ବେଳେ ଓଭରଟେକ କାରଣରୁ ଦୁର୍ଘଟଣା ଘଟିଥିବା କିଛି ଲୋକ ଦାବି କରୁଛନ୍ତି । ସେହିପରି ମଇଁଷି ପାଇଁ ବସ ଦୁର୍ଘଟଣା ଗ୍ରସ୍ଥ ହୋଇଥିବା କୁହାଯାଉଛି । ତେବେ ଓଭରଟେକ କାରଣରୁ ବସ ଦୁର୍ଘଟଣା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । କେବଳ ମଇଁଷି ପାଇଁ ନୁହେଁ ବରଂ ଓଭରଟେକ କରୁଥିବା ବସଟି ମଇଁଷି ସହ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ଥ ହୋଇଥିବା ସାଧାରଣରେ ଆଲୋଚନା ହେଉଛି ।
Condolences to those who lost their loved ones due to the bus accident in Cuttack, Odisha. May the injured recover at the earliest: PM @narendramodi
— PMO India (@PMOIndia) November 21, 2018
ସେପଟେ ବସ ଦୁର୍ଘଟଣାକୁ ନେଇ ରାଜନୀତି ଜୋର ଧରିଛି । ବସ ଦୁର୍ଘଟଣାର ଖବର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିଥିବା ବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ବେପାରୁଆ କାର୍ଯ୍ୟକୁ ନେଇ ବିରୋଧୀ ସମାଲୋଚନା କରିଛନ୍ତି । ବଡ କଥା ହେଉଛି ଘଟଣା ଘଟିବାର ୪୫ ମିନିଟ ପରେ ମଧ୍ୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚିନଥିବା ଲୋକେ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ବିରୋଧୀ ପ୍ରଶ୍ନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀ ଗ୍ରସ୍ତ ବାତିଲ କରି ମୃତକ ଆହତ ମାନଙ୍କୁ ଦେଖିବାଲାଗି ଆସିଥିବା ବେଳେ ଓଡିଶାର ମୁଖ୍ୟମନ୍ତ୍ରୀ ଥରୁଟିଏ ଘଟଣାସ୍ଥଳକୁ ବୁଲିନଯିବାକୁ ନେଇ ବିରୋଧୀ ସମାଲୋଚନା କରିଛନ୍ତି ।
ଅନ୍ୟପଟେ ଗତକାଲି ସା୍ଥନୀୟ ବିଧାୟକଙ୍କ ସମେତ ବହୁ ରାଜନୈତିକ ବ୍ୟକ୍ତିବୃନ୍ଦ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉଭୟ ବିଜେଡି ଓ ବିଜେପି ସମେତ କଂଗ୍ରେସର ମଧ୍ୟ ବହୁ ନେତା ଦୁର୍ଘଟଣା ସ୍ଥଳେ ପହଞ୍ଚିଥିବା ଦେଖାଯାଇଛି । ଅବଶ୍ୟ ମୁଖ୍ୟମନ୍ତ୍ରୀ ସମସ୍ତ ଆହତମାନଙ୍କୁ କଟକ ଏସସିବିରେ ମାଗଣା ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ୨୪ ଘଣ୍ଟିଆ ଡାକ୍ତରୀ ଦଳ ସେ ସମସ୍ତ ଆହତଙ୍କ ଚିକିତ୍ସାରେ ନିୟୋଜିତ ରହିବାକୁ କହିଛନ୍ତି ।
ସେହିପରି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଆଜି କଟକ ମେଡିକାଲ ଯାଇ ଆହତ ମାନଙ୍କୁ ଭେଟିଛନ୍ତି ।ସେହିପରି ମାନ୍ୟବର ରାଜ୍ୟପାଳ ଗଣେଶୀ ଲାଲ ମଧ୍ୟ କଟକ ଯାଇ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଯିଏ ଚାଲିଯାଇଛନ୍ତି ସେମାନଙ୍କୁ ଆଉ ଫେରାଇ ଅଣାଯାଇପାରିବ ନାହିଁ , କିନ୍ତୁ ଯେଉଁମାନେ ଅଛନ୍ତି ସେମାନଙ୍କୁ ଯିବାକୁ ଦିଆଯିବନି ବୋଲି ରାଜ୍ୟପାଳ କହିଛନ୍ତି । ରାଜ୍ୟପାଳ ଗତକାଲିର ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।