ରାଇରଙ୍ଗପୁର (ଏଟିଆର ବ୍ୟୁରୋ): ଏଥର ତ କୌଣସି ରାସ୍ତା ଖରାପ ନଥିଲା, କି କୌଣସି ଗୋରୁ ଗାଈ ବି ରାସ୍ତା ଉପରେ ନ ଥିଲେ,ତେବେ ଅଚାନକ୍ ଏତେ ବଡ ଦୁର୍ଘଟଣାରୁ କିଭଳି ବର୍ତ୍ତିଲେ ୩୦ ଯାତ୍ରୀ । ଆମେ ଏହା ଏଥି ପାଇଁ କହୁଛୁ କି ପୁଣି ଏକ ଚଳନ୍ତା ବସ୍ ରୁ ଚକା ବାହାରି ଯାଇଛି । ସୌଭାଗ୍ୟ ବସତଃ କୌଣସି ବିଶେଷ କ୍ଷୟ କ୍ଷତି ହୋଇନି ସତ କିନ୍ତୁ ଯାତ୍ରୀ ଛାନିଆ ହୋଇଯାଇଛନ୍ତି । ଏଭଳି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ସାରନା ନିକଟରେ ଘଟିଥିବାର ଦୃଶ୍ୟ ସାମ୍ନାକୁ ଆସିଛି ।
ସାଇ ଶଙ୍କର ନାମକ ଯାତ୍ରୀବାହି ବସ୍ ଟି ଭୁବନେଶ୍ୱରରୁ ରାଇରଙ୍ଗପୁର ଆସୁଥିବା ବାଟରେ ଏହି ଘଟଣାଟି ଘଟିଛି । ହଠାତ୍ ରାସ୍ତାରେ ବସ୍ ର ପଛ ଚକା ବାହାରି ଯାଇଥିଲା । ଭାଗ୍ୟ ବସତଃ ବସ୍ ର ବେଗ କମ୍ ଥିବା ଯୋଗୁଁ ଏହା ବଡ ଦୁର୍ଘଟଣା ହେବାରୁ ବର୍ତ୍ତି ଯାଇଛି । ଏଥିରେ ଥିବା ଯାତ୍ରୀମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ।
ବିଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାତର ଭାବେ ଗୋଟେ ପରେ ଗୋଟେ ବସ୍ ଦୁର୍ଘଟଣା ଘଟି ଚାଲିଛି । ଯାହା ଓଡିଶାବାସୀଙ୍କ ମନରେ ଚହଳ ସୃଷ୍ଟି କରିଛି । ଏଠି ପ୍ରଶ୍ନ ଉଠୁଛି କି ରାଜ ରାସ୍ତାରେ ଗଡୁଥିବା ହଜାର ହଜାର ବସ୍ ଗୁଡିକ ମଧ୍ୟରୁ କେତୋଟି ବସ୍ ର ସଠିକ୍ ଭାବେ ରକ୍ଷଣାବେକ୍ଷଣ କରାଯାଉଛି ।