ଭୁବନେଶ୍ବର (ଏଟିଆର ବ୍ୟୁରୋ); ମହଙ୍ଗା ହେଲା ସୁନା ଦର । ଆନ୍ତର୍ଜାତିକ ସ୍ତର ଠାରୁ ଆରମ୍ଭ ଜାତୀୟ ଓ ରାଜ୍ୟ ପର୍ୟ୍ୟନ୍ତ ପ୍ରାୟ ସବୁ ସ୍ତରରେ ସୁନା ମହଙ୍ଗା । ୩୫ ହଜାର ଟପିଲା ସୁନା ଦର । ଆଜି ସୁନା ଦର ସର୍ବକାଳୀନ ରେକର୍ଡ ସ୍ତରରେ ପହଂଚିଛି । ରାଜଧାନୀ ଭୁବନେଶ୍ବରରେ ୧୦ ଗ୍ରାମ ସୁନାର ଦର ୩୫ ହଜାର ୪୦ ଟଙ୍କା ହୋଇଛି। ସେହିପରି ଏକ କିଲୋ ରୁପାର ଦାମ୍ ୪୪ ହଜାର ଟଙ୍କା ହୋଇଛି । ସୁନା ଦର ବୃଦ୍ଧିର କାରଣ ହେଉଛିି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ।
କିଛି ଦିନ ତଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ରେ ସୁନା ଉପରେ ଆମଦାନି ଶୁଳ୍କକୁ ୧୦%ରୁ ବଢ଼ାଇ ୧୨.୫% କରିଦେଇଥିଲେ। ଯାହା ଫଳରେ ସୁନା ଦର ବଢୁଥିବା କୁହାଯାଉଛି । ସୁନା ଦର ବୃଦ୍ଧିର ଆଉ ଏକ କାରଣ ହେଉଛି ବିବାହ ଋତୁ । ବିବାହ ଋତୁକୁ ନଜରେ ରଖି ସୁନା ଓ ରୂପାର ମୂଲ୍ୟ ବଢିଥିବା ଅନୁମାନ କରାଯାଉଛି । ଏହାସହ ଗହଣା ନିର୍ମାଣ କରୁଥିବା ସଂସ୍ଥାଗୁଡ଼ିକ ବିବାହ ଋତୁର ଚାହିଦା ପୂରଣ କରିବା ପାଇଁ ଏବେ ଠାରୁ ବିପୁଳ ପରିମାଣର ସୁନା କିଣୁଛନ୍ତି । ସେଥିପାଇଁ ସୁନା ବଜାର ମହଙ୍ଗା ହୋଇଛି ।
ଆନ୍ତର୍ଜାତିକ ବଜାରରେ ମଧ୍ୟ ସୁନାର ଦର ମହଙ୍ଗା ହୋଇଛି । ଆନ୍ତର୍ଜାତିକ ବଜାରରେ ସୁନା ଆଉନ୍ସ ପିଛା ୧୪୨୫ ଡଲାର ରହିଥିବା ବେଳେ ରୁପାର ଦର ୧୬.୪୦ ଡଲାର ରହିଛି ।