ଭୁବନେଶ୍ୱର(ଏଟିଆର ବ୍ୟୁରୋ): ମୃତ୍ୟୁ ପରେବି ଅମର ହୋଇ ରହିଲେ ପି. ପ୍ରିୟଙ୍କାରାଣୀ ପାତ୍ର । ରାଜ୍ୟରେ ପ୍ରଥମ ଥର ପାଇଁ କଟକ ଏସିବି ଏବଂ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ କାଡାଭରିକ୍ ପ୍ରତିରୋପଣ ହୋଇଛି । ଅପୋଲୋ ହସ୍ପିଟାଲେ ବ୍ରେନ୍ ଡେଡ୍ ହେଇଥିବା ୨୨ ବର୍ଷୀୟ ପ୍ରିୟଙ୍କାଙ୍କ କିଡନୀ ଦୁଇ ଜଣଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି । ଏହି ପ୍ରତିରୋପଣ ପ୍ରକ୍ର୍ରିୟାକୁ ସଫଳ କରିଛନ୍ତି କଟକ ଏସିବି ଓ ଆପୋଲୋ ହସ୍ପିଟାଲର ବିଶେଷଜ୍ଞ ଡାକ୍ତରୀ ଟିମ୍ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ ମାଧ୍ୟମରେ ଡାକ୍ତରୀ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।
ସୂଚନା ଯୋଗ୍ୟ ଗତ ୨୭ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବାସିନ୍ଦା ପି. ପ୍ରିୟଙ୍କାରାଣୀ ପାତ୍ର ଏକ ଦୁର୍ଘଟଣାର ଶିକାର ହୋଇଥିଲେ । ପ୍ରିୟଙ୍କାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଆପୋଲୋ ହସ୍ପିଟାରେ ଭର୍ତ୍ତି କରାଯାଇଥିଲା । ୩ ତାରିଖ ରାତିରେ ପ୍ରିୟଙ୍କାଙ୍କ ବ୍ରେନ ଡେଡ୍ ହୋଇଯାଇଥିବା ଡାକ୍ତର ମାନେ ଘୋଷଣା କରିଥିଲେ । ଏହା ପରେ ପ୍ରିୟଙ୍କାଙ୍କ ପରିବାର ଲୋକଙ୍କ ସମ୍ମତିରେ ବ୍ରେନ୍ ଡେଡ୍ ଅବସ୍ଥାରେ ତାଙ୍କ ଅଙ୍ଗକୁ ଅନ୍ୟ କାହାରିକୁ ଦାନ କରିବାପାଇଁ କହିଥିଲେ ।
ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଓଡିଶା ରାଜ୍ୟ ଅଙ୍ଗ ଓ ପ୍ରତିରୋପଣ ସଂଗଠନକୁ ସୂଚନା ଦିଆଯାଇଥିଲା । କିଡନୀ କାଢିବା ପାଇଁ ପ୍ରାୟ ୪ ଘଣ୍ଟା ସମୟ ଲାଗିଥିଲା । ଯେଉଁ ହସ୍ପିଟାଲରେ କିଡନୀ କଢାଯାଏ ସେହି ହସ୍ପିଟାଲ କେବଳ ଗୋଟିଏ କିଡନୀ ପ୍ରତିରୋପର କରିପାରିବା ପାଇଁ ଅନୁମତି ଅଛି । ତେଣୁ ଗୋଟିଏ କିଡନୀ ଆପୋଲୋ ହସ୍ପିଟାଲରେ ପ୍ରତିରୋପଣ କରାଯାଇଥିବା ବେଳେ ଅନ୍ୟଟି ଏସିବି ମେଡିକାଲ କଲେଜରେ ପ୍ରତିରୋପଣ କରାଯାଇଥିଲା ।