ପୁରୀ(ଏଟିଆର ବ୍ୟୁରୋ): ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତି ବିପଦକୁ ଦୃଷ୍ଟିରେ ରଖି ମନ୍ଦିର ପରିସର ତଥା ବଡଦାଣ୍ଡ ଅଂଚଳକୁ ‘ନୋ ଫ୍ଲାଇଙ୍ଗ ଜୋନ’ ଘୋଷଣା ଦାବିକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅଗ୍ରାହ୍ୟ କରିଦେଇଛି ।
ଏନେଇ ପୁରୀ ଏସପି ସାର୍ଥକ ଷଡଙ୍ଗୀ ସୂଚନା ଦେଇ କହିଛନ୍ତି ଯେ, ଶ୍ରୀକ୍ଷେତ୍ରରେ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଥିଲା । ହେଲେ ମନ୍ତ୍ରାଳୟ ପକ୍ଷରୁ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି ଦିଆଯାଇଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି କି, ଭୌଗଳିକ ସ୍ଥିତି ଅନୁଯାୟୀ ଦେଖିବାକୁ ଗଲେ ଶ୍ରୀକ୍ଷେତ୍ର ଏକ ଆନ୍ତର୍ଜାତିକ ରୁଟରେ ରହିଛି । ଏହି ରୁଟରେ ବିମାନଗୁଡିକ ହଜାର ହଜାର ଫୁଟ ଉଚ୍ଚତାରେ ଉଡାଣ କରିଥାନ୍ତି । ସେଥିପାଇଁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରିବା ଅନୁଚିତ୍ । ଏହା ବ୍ୟତୀତ ଯଦି କୌଣସି ଜରୁରୀ ପରିସ୍ଥିତିରେ ବିମାନ ୧୦୦୦ ଫୁଟ ତଳକୁ ଖସି ଆସେ, ତେବେ ଉପଯୁକ୍ତ ସିଗନାଲ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିବା ଶ୍ରୀ ଷଡଙ୍ଗୀ କହିଛନ୍ତି ।