ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ବାବୁ ବଦଳିଗଲେ । ଖାସ ଏଥିପାଇଁ ତ’ ଥାନା ଭିତରୁ ଆଖି ପିଛୁଳାକେ ଗାଏବ ହୋଇଗଲା ଏସି । ହୁଏତ ଏ କଥା ଆପଣଙ୍କୁ ବିଶ୍ୱାସ ହେଉନଥିବ କିନ୍ତୁ ଏଭଳି ଏକ ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ଥାନା ଭିତରୁ ବାବୁ ଏସି ଖୋଲି ନେଇଛନ୍ତି । ସବୁଠୁ ବଡ଼ କଥା ହେଉଛି ଗୋଟିଏ ନୁହେଁ ବରଂ ଦୁଇ ଦୁଇଟି ଏସି ସମେତ ଚେୟାର ଟେବୁଲକୁ ମଧ୍ୟ ବାବୁ ଛାଡି ନାହାନ୍ତି । ଅଟୋରେ ଲୋଡରେ କରି ନେଇ ଯାଇଛନ୍ତି ।
ତେବେ କୁଆଡେ ନେଲେ ତାହା ଜଣାପଡିନାହିଁ । ହେଲେ ଘଟଣାକୁ ନେଇ ଦେଖା ଦେଇଛି ଅସନ୍ତୋଷ । ଅଭିଯୋଗ ହୋଇଛି ଯାହା ତ’ ମାରି ଖାଉଥିଲେ ଖାଉଥିଲେ ଶେଷରେ ଥାନାକୁ ବି ଛାଡିଲେ ନାହିଁ ବାବୁ । ନିଜ ବାପା ସମ୍ପତ୍ତି ଭଳି ବୋହିନେଲେ । କମିଶନରେଟ ପୁଲିସର ଏକ ଥାନାରେ ଏଭଳି ଅଜବ ଘଟଣା ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ନିର୍ବାଚନକୁ ଆଖି ଆଗରେ ରଖି ଆରମ୍ଭ ହୋଇଛି ବଦଳି ପ୍ରକ୍ରୀୟା । ଆଉ ଏହାପରେ ବାବୁ ଥାନାରେ ଲାଗିଥିବା ଏସି ସମେତ ଚେୟାର ଟେବୁଲ ବୋହି ନେଇଛନ୍ତି । କୁହାଯାଉଛି ଢ଼େରଦିନ ପୂର୍ବରୁ ଥାନାରେ ଏସି ଲାଗିଥିଲା । ଥାନାର ସବୁ କର୍ମଚାରୀ ଏହାର ବ୍ୟବହାର କରୁଥିଲେ । ହେଲେ ଅଚାନକ ବଦଳି ପରେ ଥାନାର ରୂପ ରେଖ ବଦଳି ଯାଇଛି । ନିଜେ କିଣି ଥାନାରେ ଲଗାଇଥିବା ଭଳି ବାବୁ ଥାନାରୁ ଏସି ସମେତ ବହୁ ଜିନିଷପତ୍ର ନେଇ ପଳାଇଛନ୍ତି ।
ଏଠି ପ୍ରଶ୍ନ ଉଠିବା ସ୍ୱାଭାବିକ କାହିଁକି ଥାନାରୁ ଏସବୁ ସାମଗ୍ରୀ ବାବୁ ବୋହିନେଲେ? ଏସବୁ ଜିନିଷ କ’ଣ ନିଜେ କିଣିଥିଲେ? ଯଦି ନିଜ ହାତରୁ କିଣିଥିଲେ ତେବେ ଥାନାରେ ଲଗାଇବା କ’ଣ ଯର୍ଥାତ ଥିଲା? ଦେଖିବାକୁ ଗଲେ ବହୁ ଥାନା ଅଧିକାରୀ ଥାନାର ଉନ୍ନତି କରଣ ପାଇଁ ଅନେକ କିଛି କରିଛନ୍ତି । କିଏ ଟିଭି ଲଗାଇଛି ତ’ ଆଉ କିଏ ପୂରା ବିଲ୍ଡିଂର ହୋଲିଆ ବଦଳାଇ ଦେଇଛି । ହେଲେ ଗଲା ବେଳକୁ ଏମିତି କେହି ବୋହି ନେଇ ନାହାନ୍ତି । କିନ୍ତୁ ଏ ବାବୁଙ୍କ କ୍ଷେତ୍ରରେ ଯେଉଁ ଦୃଶ୍ୟ ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଚକିତ କରିଛି । ଆଶା କରିବୁ ରିପୋର୍ଟ ପରେ କେଉଁ ପରିସ୍ଥିତିରେ ଥାନାରୁ ଏସି ଗାଏବ ହେଲା ସେନେଇ ତଥ୍ୟ ଖୋଜିବେ ବରିଷ୍ଠ ଅଧିକାରୀ । ନଚେତ ଆମେ ଭାବିବାକୁ ବାଧ୍ୟ ହେବୁ ସବୁ ଭିତରେ ରହିଛି ଆହୁରି ଅନେକ କିଛି ।