ଭୁବନେଶ୍ୱର,(ଏଟିଆରବ୍ୟୁରୋ): ରାସ୍ତା ମଝିରେ ପୁଲିସ ଓ ବିଜେପି କର୍ମୀଙ୍କ ଖଣ୍ଡଯୁଦ୍ଧ । ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଧାନସଭା ଘେରାଉ କରିବାକୁ ଆଜି ଉଦ୍ୟମ କରିଥିଲା ବିଜେପି ଯୁବମୋର୍ଚ୍ଚା । ହଜାର ହଜାର କର୍ମୀଙ୍କ ରଣହୁଙ୍କାର ଓ ବ୍ୟାରିକେଡ ଭାଙ୍ଗି ଧଶେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ଦେଖାଦେଇଥିଲା ଅପ୍ରୀତିକର ପରିସ୍ଥିତି ।
ଗୋଟିଏ ପଟେ ପୁଲିସ ବିଜେପି କର୍ମୀଙ୍କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟପଟେ ଦେଖିବାକୁ ମିଳିଥିଲା ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ର ଦୃଶ୍ୟ । ବାସ ଏହାପରେ ଲୋୟର ପିଏମଜି ପାଲଟିଥିଲା ଏକପ୍ରକାର ରଣକ୍ଷେତ୍ର । ମୁହାଁମୁହିଁ ହୋଇଥିଲେ ପୁଲିସ ଓ ବିଜେପି କର୍ମୀ । ପାଖାପାଖି ଅଧଘଣ୍ଟାଏରୁ ଅଧିକ ସମୟ ପରିସ୍ଥିତି ପୂରା ସଂଗିନ ରହିଥିଲା । ନିଯୁକ୍ତି ପ୍ରସଂଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲା ବିଜେପି ।
ଖାସ ଏଥିପାଇଁ ଲକ୍ଷ୍ୟ ଥିଲା ବିଧାନସଭାରେ ପଶି ଏହାକୁ ବିରୋଧ କରିବାର । ହେଲେ ପୂର୍ବରୁ ପ୍ରସ୍ତୁତ ଥିବା କମିଶନରେଟ ପୁଲିସ ବାଟ ଓଗାଳିଥିଲା । ମଝି ରାସ୍ତାରେ ବ୍ୟାରିକେଡ ଲଗାଇ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ତେବେ ହଜାର ହଜାର କର୍ମୀଙ୍କୁ ପ୍ରଥମେ ଅଟକାଇବା ପୁଲିସ ପକ୍ଷରେ ସମ୍ଭବ ହୋଇନଥିଲା । ପୁଲିସକୁ ଧକ୍କା ମାରି ବ୍ୟାରିକେଡ ଭାଙ୍ଗି ଆଗକୁ ମାଡି ଚାଲିଥିଲେ ଯୁବମୋର୍ଚ୍ଚା କର୍ମୀ ।
ତେବେ ଦ୍ୱୀତିୟ ବ୍ୟାରିକେଡ ପାଖରେ ପୁଲିସ ତା’ର ପାୱାର ଦେଖାଇଥିଲା । କର୍ମୀଙ୍କୁ ଆଉ ପାଦେ ଆଗକୁ ଯିବାକୁ ସୁଯୋଗ ଦେଇନଥିଲା । ବାସ ଏହାପରେ ପୁଲିସ ଉପରକୁ ଯୁବମୋର୍ଚ୍ଚା କର୍ମୀମାନେ ଆଖିବୁଜା ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ । ତେବେ ଏହି ଘଟଣାରେ ପୁଲିସ କେତେକ ଯୁବମୋର୍ଚ୍ଚା କର୍ମୀଙ୍କୁ ଅଟକ ରଖିଛି । ସେପଟେ ଏହି ପ୍ରସଂଗରେ ବିଜେପି ବିଧାନସଭାରେ ହଙ୍ଗାମା କରିଥିବା ବେଳେ କଂଗ୍ରେସ ଉଭୟ ନିଯୁକ୍ତି ଓ ଚାଷୀ ପ୍ରସଂଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛି ।