ପୁରୀ (ଏଟିଆର ବ୍ୟୁରୋ): ରାଜ୍ୟ ସରକାର ଜରୁରୀକାଳିନ ପାଣ୍ଠିରୁ ପୁରୀର ବିକାଶ ନିମନ୍ତେ ୩୦୦କୋଟି ଟଙ୍କାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିର ଓ ପୁରୀର ବିକାଶ ନିମନ୍ତେ ଏହି ଅର୍ଥ ମଞ୍ଜୁର କରାଯାଇଛି । ଶ୍ରୀମନ୍ଦିର ଚାରିପଟେ ତିଆରି ହେବାକୁ ଥିବା ହେରିଟେଜ ସିକ୍ୟୁରିଟି ଜୋନ ବା ଐତିହ୍ୟ କ୍ଷେତ୍ରରେ ସୁରକ୍ଷା ସହ ଅବଢା ଯୋଜନାରେ ଅର୍ଥ ଖର୍ଚ୍ଚ କରିବା ପାଇଁ ରାଜ୍ୟ ସରକାର ମଞ୍ଜୁର ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିର ସୁରକ୍ଷା ସହ ଏହାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ମନ୍ଦିର ଚାରିପଟେ ୭୫ମିଟର ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟ ଜାରୀ ରହିଛି ।
ଉଚ୍ଛେଦ କରାଯାଉଥିବା ଲୋକମାନଙ୍କୁ ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ମଧ୍ୟ ଏହି ଅର୍ଥ ରାଶିରୁ କରାଯିବ । ଇତି ମଧ୍ୟରେ ଏହି ଅର୍ଥରାଶିକୁ ପୁରୀର ପୂର୍ତ୍ତ ବିଭାଗ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ପଠାଯାଇଛି । ତେବେ ଏ ବାବଦରେ ଅର୍ଥ ବିଭାଗର ଅତିରିକ୍ତ ସଚିବ ତଥା ଅର୍ଥ ପରାମର୍ଶଦାତା ଏସ. କାନୁନଗୋ ଆକାଉଣ୍ଟ ଜେନେରାଲଙ୍କୁ ଲିଖିତଆକାରରେ ସୂଚୀତ କରିଛନ୍ତି ।