ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କାମ ନପାଇ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ସ୍ୱତନ୍ତ୍ର ପ୍ୟାକେଜ । ବାହାରକୁ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ଓ ସହାୟତା କରିବା ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସ୍ୱତନ୍ତ୍ର ପ୍ୟାକେଜରେ ଯେଉଁ ପ୍ରବାସୀ ଶ୍ରମିକମାନେ କାମ କରିବାକୁ ବାହାରକୁ ଚାଲିଯାଉଛନ୍ତି ସେମାନଙ୍କୁ ଚିହ୍ନଟ କରି କାମ ଯୋଗାଇ ଦେବା ସହ ଆର୍ଥିକ ସ୍ୱଚ୍ଛଳତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
ସଚିବାଳୟରେ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ କାମ ନପାଇ ଶ୍ରମିକମାନେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି । ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ସେଠାରେ ସେମାନଙ୍କୁ ଅତ୍ୟାଚାରର ସମ୍ନା କରିବାକୁ ପଡୁଛି । ଏହିସବୁ ସମସ୍ୟାକୁ ଆଖିଆଗରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସ୍ୱତନ୍ତ୍ର ପ୍ୟାକେଜର ଘୋଷଣା କରାଯାଇଛି । ଏହି ପ୍ୟାକେଜରେ ଶ୍ରମିକ ପ୍ରବଣ ୪ଟି ଜିଲ୍ଲା ବରଗଡ, ନୂଆପଡା, କଳାହାଣ୍ଡି, ବଲାଙ୍ଗୀରର ୨୦ ବ୍ଲକରେ ନରେଗା ମଜୁରି ବୃଦ୍ଧି କରାଯାଇଛି । ଶ୍ରମିକମାନଙ୍କ ଦୈନିକ ମଜୁରୀ ହିସାବରେ ୨୮୬. ୮୬ ଟଙ୍କାକୁ ବୃଦ୍ଧି ହୋଇଛି ।
ସେହିପରି ନରେଗା ଯୋଜନାରେ ଏଣିକି ୧୦୦ଦିନ ବଦଳରେ ୨୦୦ଦିନ କାମ ପ୍ରଦାନ କରାଯିବ । ୪ଟି ଜିଲ୍ଲାର ୨୦ ବ୍ଲକର ପ୍ରତି ପରିବାର ମହିଳାଙ୍କୁ ଏସଏଚଜିରେ ଯୋଡିବାକୁ ନିଷ୍ପତ୍ତି ହୋଇଛି । ଅନ୍ୟପଟେ ଶ୍ରମିକଙ୍କ ପାଇଁ ବ୍ୟାଙ୍କ ସୁବିଧା ସହ ୧୮ରୁ ୩୫ବର୍ଷ ଭିତରେ ଯୋଗ୍ୟ ଯୁବକ ଯୁବତୀଙ୍କୁ ଧନ୍ଦାମୂଳକ ତାଲିମ ଦିଆଯିବ । ଏହାଛଡା ୨୦ବ୍ଲକର ଯୋଗ୍ୟ ପରିବାରକୁ ପକ୍କା ଘର ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।