ଭୁବନେଶ୍ୱର (ଏଟିଆର ବ୍ୟୁରୋ); ବିଜେଡିରୁ ନିଲମ୍ବିତ ହୋଇଥିବା ଢ଼େଙ୍କାନାଳ ପୂର୍ବତନ ବିଧାୟକ ନବୀନ ନନ୍ଦ କଂଗ୍ରେସରେ ଯୋଗ ଦେଇଛନ୍ତି । ହଜାର ହଜାର ସମର୍ଥକଙ୍କ ସହ କଂଗ୍ରେସ ଭବନରେ ପହଁଞ୍ଚି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି ନୀବନ ନନ୍ଦ । ଆସନ୍ତା ନିର୍ବାଚନରେ ଢ଼େଙ୍କାନାଳ ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଶୁଣିବାକୁ ମିଳିଛି । ତେବେ ସେ କହିଛନ୍ତି ପିସିସି ସଭାପତି ମୋତେ ଯେଉଁ ଦାୟିତ୍ୱ ଦେବେ ମୁଁ ଦଳରେ ଜଣେ ଶୃଙ୍ଖଳିତ କର୍ମୀ ଭାବରେ କରିବି । ଅପରପକ୍ଷରେ ନବୀନ କଂଗ୍ରେସରେ ଯୋଗ ଦେବା ପରେ ଢ଼େଙ୍କାନାଳରେ କଂଗ୍ରେସର ଶକ୍ତି ବୃଦ୍ଧି ହୋଇଛି ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି ।
ଉଲ୍ଲେଖ ଥାଉ କି, କୋଲକାତାରେ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ଗିରଫଦାରୀକୁ ନେଇ ବିବାଦ ଉପୁଜିବା ପରେ ବିଜୁ ଜନତା ଦଳରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା । ବ୍ୟବସାୟ କାମରେ କୋଲକାତା ଯାଇ ସେଠାରେ ପ୍ରଥମେ ନିଖୋଜ ହେବା ପ୍ରଚାରିତ ହେବା ଓ ପରେ କୋଲକାତା ପୁଲିସ ଦ୍ବାରା ଗିରଫ ହେବା ଘଟଣା ଜଣାପଡ଼ିବା ପରେ ନବୀନଙ୍କ ଆଚରଣ ବିବାଦ ଘେରକୁ ଆସିଥିଲା। ଏହା ପରେ ନନ୍ଦଙ୍କୁ ନେଇ ରାଜନୈତିକ ବୟାନବାଜି ମଧ୍ୟ ହୋଇଥିଲା। ଯେଉଁ କାରଣରୁ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା ।
ନିର୍ବାଚନ ମଣ୍ଡଳୀରେ ନବୀନଙ୍କ ସମର୍ଥକଙ୍କ ସଂଖ୍ୟା ଅଧିକ ରହିଛି । ଏଣୁ ଏହାର ଫାଇଦା କଂଗ୍ରେସକୁ ମିଳିବ ବୋଲି ଆଶା କରାଯାଇଛି । ତେବେ ଜନତା ଜନାର୍ଦ୍ଦନ କାହାକୁ ଭରଷା କରିବେ ତା ଉପରେ ସମସ୍ତଙ୍କ ନଜର । କଂଗ୍ରେସରୁ ଜଣକ ପରେ ଜଣେ ନେତା ଦଳ ଛାଡି ଯାଉଥିବା ବେଳେ ନବୀନଙ୍କ ଭଳି ନେତା ଦଳରେ ଯୋଗ ଦେବା କଂଗ୍ରେସ ପାଇଁ ଶୁଭ ସଙ୍କେତ ।