ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ନେଲା ଜୀବନ । ମୁମ୍ବାଇରେ ଶିକ୍ଷୟତ୍ରୀ ଭାବେ କାମ କରୁଥିବା ଓଡିଶାର ଜଣେ ମହିଳାଙ୍କର ଗତ ମେ ୨୭ ରେ କରୋନା ପାଇଁ ମୃତ୍ୟୁ ହୋଇଛି । ସେ ମୁମ୍ବାଇର ଏକ ଇଂରାଜୀ ମିଡିୟମ ସ୍କୁଲ ପାଠ ପଢାଉଥିଲେ । ଗତ ମେ ୨୦ ତାରିଖରୁ ଶିକ୍ଷୟତ୍ରୀ ସୁଜତା ମହାପାତ୍ରଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇପଡିଥିଲା । ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କ ସ୍ୱାବ ନମୁନା ମହାତ୍ମାଗାନ୍ଧୀ ପରୀକ୍ଷଣ କେନ୍ଦ୍ରକୁ ପଠା ଯାଇଥିଲା । ମେ ୨୨ ରେ ତାଙ୍କ ରିପୋର୍ଟ ଆସିବା ପଜିଟିଭ୍ ବାହାଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ସଙ୍ଗରୋଧରେ ରଖାଯାଇଥିଲା ।ପଜିଟିଭ୍ ଚିହ୍ନଟ ହେବା ପରେ ସୁଜତା ରହୁଥିବା ଫ୍ଲାଟ ଏବଂ ଆଖ ପାଖ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ମୁମ୍ବାଇ ନଗରପାଳିକା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା ।କିନ୍ତୁ ସୁଜତାଙ୍କ ସ୍ୱାସ୍ଥ୍ୟ ଖରାପ ଥିବା ବେଳେ ତାଙ୍କ ସ୍ୱାମୀ ତାଙ୍କ ପାଖରେ ନଥିଲେ । କାରଣ ତାଙ୍କ ପତି ପ୍ରଶାନ୍ତ ତାଙ୍କ ମାଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ କଟକ ଆସିଥିଲେ । ଲକ୍ ଡାଉନ୍ ପାଇଁ ସେ ଆଉ ମୁମ୍ବାଇ ଫେରି ପାରିନଥିଲେ ।
ଏହାପରେ ସେ ତାଙ୍କ ସମ୍ପର୍କୀୟ ଏବଂ ବରିଷ୍ଠ ଆଇଏସ ଅଫିସର ପ୍ରଦୀପ୍ତ ମହାମାତ୍ରଙ୍କ ସହ ସୁଜାତାଙ୍କ ବିଷୟରେ ଜଣାଇଥିଲେ । ମେ ୨୫ ତାରିଖରେ ସୁଜାତାଙ୍କୁ ମୁମ୍ବାଇର ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।ଏହାରି ମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଘରୋଇ ବିମାନ ଉଡିବାର ଘୋଷଣା ହେବା ପରେ ପ୍ରଶାନ୍ତ ମେ ୨୬ ରେ ମୁମ୍ବାଇ ଅଭିମୁଖେ ଉଡାଣ ଭରିଥିଲେ । ମାତ୍ର ସେ ମୁମ୍ବାଇରେ ପହଁଚିବା ପରେ ତାଙ୍କୁ ସଙ୍ଗରୋଧରେ ରଖାଯାଇଥିଲା । ତାଙ୍କ ସ୍ୱାବ ନମୁନା ନେଗେଟିଭ ଆସିବା ପରେ ଗୋଟେ ଦିନ ପରେ ତାଙ୍କୁ ଘରକୁ ଯିବାକୁ ଦିଆଯାଇଥିଲା । କିନ୍ତୁ ସେତେବେଳକୁ ତାଙ୍କ ପତ୍ନୀ ସୁଜାତାଙ୍କର ମୃତ୍ୟୁ ହୋଇ ସାରିଥିଲା ।