ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାବାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି । ଏହି ଜିଲ୍ଲାରେ ଏକ ଲକ୍ଷ ଛତିଶ ହଜାର ପରିବାରକୁ ବିଏସକେୱାଇ ସ୍ମାର୍ଟକାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ସ୍ମାର୍ଟକାର୍ଡ ଜିଲ୍ଳାର ୯୦ ପ୍ରତିଶତ ଲୋକଙ୍କୁ ଦିଆଯିବ ।
ସ୍ମାର୍ଟକାର୍ଡ ବଣ୍ଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି, ଗଜପତି ଜିଲ୍ଲା ହେଉଛି କଳା ଓ ସଂସ୍କୃତିର ଭୂମି । ବହୁ ପ୍ରତିଭାଙ୍କ ପାଇଁ ଏହି ଜିଲ୍ଲାର ମାଟି ଧନ୍ୟ ହୋଇଛି । ଛୋଟ ଜିଲ୍ଲା ହେଲେ ମଧ୍ୟ ଓଡିଶା ପ୍ରତି ଅବଦାନ ଅତୁଳନୀୟ । ମୋ ପାଇଁ ଗଜପତି ଜିଲ୍ଲା ସ୍ୱତନ୍ତ୍ର ।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । କାର୍ୟ୍ୟକ୍ରମରେ ଯୋଗଦେଇ ୭୯୬ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ଶୁଭାରମ୍ଭ କରିଛନ୍ତି ।