ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଜି ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ସ୍ୱାଧୀନତା ସଂଗ୍ରାମୀ ବୀର ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଭାରତର ବିବିଧତା ହିଁ ଆମ ସଂସ୍କୃତି ଓ ସମାଜକୁ ସମୃଦ୍ଧି ପ୍ରଦନ କରିଛି । ରାଜ୍ୟରେ ଜଳସେଚନର କ୍ଷମତା ବଢିବା ସହ କୃଷି ଉତ୍ପାଦନ ମଧ୍ୟ ବଢିଛି ।ଚାଷୀ ରୋଜଗାର ବଢିବା ସହ ରାଜ୍ୟକୁ ନୂଆ ପୁଞ୍ଜି ମଧ୍ୟ ଆସିଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡିଶା ଦେଶର ବିକାଶ ମାନଚିତ୍ରରେ ନିଜର ସ୍ଥିତି ମଜବୁତ କରିପାରିଛି । ବିଭିନ୍ନ କଲ୍ୟାଣକାରୀ ଯୋଜନା ଲାଗୁ କରିବାରେ ଓଡିଶାର ସ୍ଥାନ ସାରା ଦେଶରେ ସ୍ୱତନ୍ତ୍ର । ଆମର କଲ୍ୟାଣକାରୀ କାର୍ଯ୍ୟ ଲୋକଙ୍କ ମୁହଁରେ ହସ ଭରିଛି ବୋଲି ସେ କହିଛନ୍ତି ।
ଏହି ଅବସରରେ ସେ ଜାତିର ଜନକ ମହାତ୍ମାଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ବୋଷ, ମୌଲନା ଆଜାଦ, ଡଃ ଆମ୍ବେଦକର, ବୀର ସୁରେନ୍ଦ୍ର ସାଏ, ବକ୍ସି ଜଗବନ୍ଧୁ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୁଦନ ଦାସ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ସହିଦ ଲକ୍ଷ୍ମଣ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସହିଦ ହୋଇଥବା କୋଭିଡ ଯୋଦ୍ଧାଙ୍କ ପାଇଁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
ସାରା ଦେଶ ଗତ ୧୦ ମାସ ହେବ କରୋନା ସହ ଲଢେଇ କରି କରୋନା ମହାମାରୀକୁ ସଫଳତାର ସହ ନିୟନ୍ତ୍ରଣ କରିପାରିଛି । ଏହି ଅବସରରେ ଆମ କୋଭିଡ ଯୋଦ୍ଧାଙ୍କର ତ୍ୟାଗ ଓ ସେବାକୁ ମୁଁ ଶ୍ରଦ୍ଧାର ସହ ସ୍ମରଣ କରୁଛି । ଟିକା ଆସିଥିଲେ ମଧ୍ୟ କୋଭିଡ ଗାଇଡ ଲାଇନମାନି ଚଳିବା ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ।