କଟକ(ଏଟିଆର ବ୍ୟୁରୋ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ କଟକ ଗସ୍ତ କରିଥିଲେ । ଏହି ଅବସରରେ କଟକ ସହର ଚତୁଃପାଶ୍ୱରେ ଥିବା ରିଂ ରୋଡକୁ ୬ ଲେନ ବିଶିଷ୍ଟ କରାଯିବ ବୋଲି ସେ ଘୋଷଣା କରିଛନ୍ତି । ଏହା ସହ ଏସସିବି ନବନିର୍ମାଣ କାମ ମାର୍ଚ୍ଚରୁ ଆରମ୍ଭ ହେବ ବୋଲି କହିଛନ୍ତି । ଆଜି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯିବ ।
ସୁଚନଯୋଗ୍ୟ ଥାଉ କି ଗତକାଲି ୫-ଟି ସଚିବ ଭିକେ ପାଣ୍ଡିଆନ ଏସସିବି ମେଡିକାଲ ଗସ୍ତ କରିଥିଲେ । ଏସସିବିକୁ ବିଶ୍ୱସ୍ତରୀୟ ହସ୍ପିଟାଲ କରିବାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି । ଏହା ପାଇଁ ଆବଶ୍ୟକ ପଡୁଥିବା ଜମିରେ ଥିବା କିଛି ଘରକୁ ଉଚ୍ଛେଦ କରାଯିବ । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ୱାଟର ଓ ୧୩ଜଣ ଡାକ୍ତରଙ୍କ କ୍ୱାଟର ଉଚ୍ଛେଦ କରାଯିବ । ଏଥିପାଇଁ ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରାଯିବ । ଏହି ଉଚ୍ଛେଦ ଦ୍ୱାରା ୨୫ ଏକର ଜମି ସରକାରଙ୍କ ହାତକୁ ଆସିବ । ସେହିଭଳି ତାଳଦଣ୍ଡା କେନାଲ ବନ୍ଧରୁ ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତାକୁ ୩ ଲେନ୍ ବିଶିଷ୍ଟ କରାଯିବ । ଏହା ସହ ଯାତାୟତ ସୁବିଧା କରିବା ପାଇଁ ଦୁଇଟି ଓଭରବ୍ରିଜ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି ।