ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଥର ଇଲେକ୍ସନ ନୁହେଁ ସିଲେକ୍ସନରେ ହେବ ଛାତ୍ର ନେତା ଚୟନ । ଗତକାଲି ଏମିତି ଏକ ଘୋଷଣା କରିଛି ଉଚ୍ଚ ଶିକ୍ଷା ବିଭାଗ । ଏନେଇ କଲେଜ ଅଧ୍ୟକ୍ଷ ମାନଙ୍କୁ ମଧ୍ୟ ଚିଠି ମାଧ୍ୟମରେ ଜଣାଇଛି ବିଭାଗ । ଯାହାକୁ ନେଇ ଏବେ ରାଜନୀତି ସରଗରମ ହୋଇଛି । କେତେକ କ୍ଷେତ୍ରରେ ଏହାକୁ ସମର୍ଥନ ମିଳୁଥିବା ବେଳେ ଆଉ କେତେକ କ୍ଷେତ୍ରରେ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି ମତ ପ୍ରକାଶ ପାଉଛି । ଗୋଟେ ପଟେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସମର୍ଥନ କରାଯାଉଥିବା ବେଳେ ବିରୋଧୀ ଏହାକୁ ଘୋର ବିରୋଧ କରୁଛନ୍ତି ।
କେତେକ କଲେଜ ଆଗରେ ଗତକାଲି ସନ୍ଧ୍ୟାରେ ଛାତ୍ରଛାତ୍ରୀ ମାନେ ବିରୋଧ ପ୍ରଦର୍ଶନ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଅନ୍ୟପଟେ ଏହି ନିଷ୍ପତ୍ତି ନେଇ ବିଭାଗ କହିଛି ଛାତ୍ର ସମାଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି । ଏଭିବିପି ଛାତ୍ର ସଂଗଠନ ପକ୍ଷରୁ ଗତ କାଲି ବିରୋଧ ପ୍ରଦର୍ଶନ କରାଯାଇଛି । ସେହିଭଳି କଲେଜରେ ଇଲେକ୍ସନ ବନ୍ଦ ହୋଇଥିବାରୁ ଅନେକ କ୍ଷେତ୍ରରେ ଅଭିଭାବକ ଓ ଶିକ୍ଷାବିତ୍ ମାନେ ଏହାକୁ ସ୍ୱାଗତ କରୁଥିବା ଦେଖିବାକୁ ମିଳିଛି ।
ନିର୍ବାଚନ ବେଳେ କଲେଜରେ ଘଟୁଥିବା ହିଂସା ପାଠ ପଢାରେ ବାଧା ସୃଷ୍ଟି କରୁଛି ବୋଲି ମତ ପ୍ରକାଶ ପାଉଛି । ଅନ୍ୟପକ୍ଷେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ୨୦୧୯-୨୦ କ୍ୟାଲେଣ୍ଡରରେ ନିର୍ବାଚନ ହେବ ବୋଲି ସୂଚନା ରହିଥିବା ବେଳେ ତରତରିଆ ଭାବେ କାହିଁକି ଏଭଳି ନିଷ୍ପତ୍ତି ନିଆଗଲା ତାକୁ ନେଇ ଛାତ୍ର ସଂଗଠନ ମାନେ ପ୍ରଶ୍ନ ଉଠାଇଛନ୍ତି ।