ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ପବିତ୍ର ଜନ୍ମାଷ୍ଟମୀ ବା ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଜୟନ୍ତୀ । ଏହି ଅବସରରେ ଆଜି ସମସ୍ତ ଦେବାଳୟ ମାନ ଉତ୍ସବ ମୁଖର ହୋଇ ଉଠିଛି । ସକାଳୁ ସକାଳୁ ବିଭିନ୍ନ ମନ୍ଦିର ମାନଙ୍କରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି । ମହିଳା ଓ ପୁରୁଷ ମାନେ ଶ୍ରୀକୃଷ୍ଣଙ୍କ ପାଇଁ ଉପବାସ ବ୍ରତ ରଖିଛନ୍ତି । ଆଜିର ଏହି ପବିତ୍ର ଦିନର ମହତ୍ୱ ହେଉଛି ଆଜି ପ୍ରଭୁ ଶ୍ରୀକୃଷ୍ଣ ଧରା ପୃଷ୍ଠରେ ଅବତରଣ କରିଥିଲେ । ପୁରାଣ ଅନୁସାରେ ଆଜିର ଦିନରେ ବସୁଦେବ ଓ ମାତା ଦେବକୀଙ୍କ କୋଳରେ ଅଷ୍ଟମ ସନ୍ତାନ ଭାବେ ଜନ୍ମ ଗ୍ରହଣ କରିଥିଲେ ଭଗବାନ ଶ୍ରୀକୃଷ୍ଣ ।
ମହାରାଜା କଂସଙ୍କ କାରାଗାରରେ ଶ୍ରୀକୃଷ୍ଣ ଜନ୍ମ ଗ୍ରହଣ କରିଥିଲେ । ଶ୍ରୀକୃଷ୍ଣ ଭାଦ୍ରବ ମାସ ଅଷ୍ଟମୀ ତିଥିରେ ଜନ୍ମଗ୍ରହଣ କରିଥିବାରୁ ଏହାକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଇଥାଏ । ଯୁଗେ ଯୁଗେ ଧର୍ମର ଜୟ ଓ ଅଧର୍ମର ବିନାଶ ପାଇଁ ଭଗବାନ ବିଭିନ୍ନ ରୂପରେ ଧରା ପୃଷ୍ଠକୁ ଆସିଥାନ୍ତି ଓ ସେମାନଙ୍କ ଲୀଳା ଖେଳା କରିଥାନ୍ତି । ଜନ୍ମାଷ୍ଟମୀ ଅବସରରେ ରାଜଧାନୀର ରାମ ମନ୍ଦିର ଓ ଇସ୍କନ ମନ୍ଦିରରେ ସକାଳ ସକାଳୁ ଭିଡ ଆରମ୍ଭ ହୋଇ ଯାଇଛି ।
ସେହିଭଳି ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ମଧ୍ୟ ପାଳନ ହେବ ଜନ୍ମାଷ୍ଟମୀ । ଏହି ଅବସରରେ ଶ୍ରୀମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଧାର୍ଯ୍ୟ କରାଯାଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ସାଧାରଶ ଦର୍ଶନରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ଗାଁଠୁ ସହର ସବୁଠି ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।