ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କମିଶନରେଟ ପୁଲିସର ସେ ଏମିତି ଏକ ଥାନା ଯେଉଁଠି ହରଦମ ଅଭିଯୋଗର ସଂଖ୍ୟା କମିବାରେ ଲାଗିଛି । ଆପଣ ଭାବୁଥିବେ ଅଭିଯୋଗ କମିବା ତ’ ନିହାତି ଭାବେ ଭଲ କଥା । ହଁ, ଆମର ମଧ୍ୟ ସେହି ସମାନ ମତ । କିନ୍ତୁ ଏଠି ଅଭିଯୋଗ କମିବା ପଛର ଅସଲ କାରଣ କିନ୍ତୁ କିଛି ଅଲଗା । ଅଭିଯୋଗ ଯେତେ କମୁଛି ସେତେ ଲାଲେଲାଲ ହେଉଛନ୍ତି ଥାନାବାବୁ । ପକେଟ ପୂରା ଗରମ ରହୁଛି ।
ସବୁ କିଛି ପୂରା ପ୍ରିପ୍ଲାନିଂରେ ହେଉଥିବାରୁ ଥାନା ଭିତରର ଏହି ଗହନ କଥା ବାହାରକୁ ଆସି ପାରୁନାହିଁ । ଫଳରେ ଭରା ଫାଇଦା ଉଠାଉଛନ୍ତି ଥାନା ବାବୁ । ଏହି ପୂରା ଚକ୍ରାନ୍ତରେ ଥାନା ବାବୁଙ୍କ ଗୁମାସ୍ତା ପାଲଟିଛନ୍ତି ଜଣେ ଏଏସଆଇ । ଏହି ଏଏସଆଇଙ୍କ କାଢ଼ ବି ନକହିଲେ ଭଲ । ରାଜଧାନୀକୁ ଆସିବା ଦିନଠୁ ବୋଧେ ସେହି ଗୋଟିଏ ଚେୟାରରେ ବସି ପଡିଛନ୍ତି ଯେ ଆଉ ଉଠିବାକୁ ନାଁ ଗନ୍ଧ ଧରୁନାହାନ୍ତି । ଆଇଆଇସିଙ୍କ ସବୁ ଭିତିରି କଥା ଏହି କରିତକର୍ମା ଏଏସଆଇ ବାବୁ ବୁଝୁଛନ୍ତି । ଆଉ ଆଇଆଇସି ବି ମହାନ ଚାଲାକ । କାଳେ ନିଜେ ସାମ୍ନାକୁ ଗଲେ ଫସିପାରନ୍ତି ତେଣୁ ଏଏସଆଇ ଯାହା କହିଲେ ଥାନା ବାବୁ ଆମର ସେଥିରେ ମୁଣ୍ଡ ଟୁଙ୍ଗାରି ଦେଉଛନ୍ତି ।
ସେପଟେ ଥାନାରେ ଜଣେ ଏଏସଆଇ ଓ ଆଇଆଇସିଙ୍କ ଏଭଳି ପ୍ରେମ ଦେଖି ବର୍ତ୍ତମାନ ବାକି କର୍ମଚାରୀମାନେ ପୂରା ଖପ୍ପା । ଅଭିଯୋଗ ହୋଇଛି ଥାନାଟି ଅତ୍ୟନ୍ତ ସମ୍ବେଦନଶୀଳ ସ୍ଥାନରେ ରହିଛି । ହରଦମ କିଛି ନା’ କିଛି ଘଟଣା/ଦୁର୍ଘଟଣା ଘଟୁଛି । ହେଲେ ଏ ସମ୍ପର୍କରେ ଅଭିଯୋଗ ତ’ ପହଞ୍ଚୁଛି ହେଲେ ମାମଲା ରୁଜୁ ହେଉନାହିଁ । କୌଣସି ମତେ ଲାଗିପାତି ମାମଲାକୁ ରଫାଦଫା କରିବାକୁ ଚାହୁଁଛନ୍ତି ଥାନା ବାବୁ । ତେବେ ଏହାପଛର ବାସ୍ତବତା କଣ ତାହା ଯଦିଓ ସ୍ପଷ୍ଟ ହେଉନାହିଁ କିନ୍ତୁ ଚର୍ଚ୍ଚା ହେଉଛି ଯେ, କମ୍ପରମାଇଜରେ ଥାନାବାବୁ ଉଭୟ ପକ୍ଷରୁ ଢ଼େର ମାଲ ପାଉଛନ୍ତି । କେବଳ ଏତିକି ନୁହେଁ ଅଯଥା କେସ ମୁଣ୍ଡାଇବାରୁ ବି ସେ ଏକପ୍ରକାର ରକ୍ଷା ପାଇଯାଉଛନ୍ତି ।
ଏଭଳି ହାଇଟେକ ବୁଦ୍ଧି ଯୋଗୁ ଏବେ ବାବୁ କାଳେ ଦିନ କେଇଟାରେ ଲାଲେଲାଲ ପଡିଗଲେଣି । ସବୁଠୁ ବଡ଼ କଥା ହେଉଛି ନିକଟରେ ବରିଷ୍ଠ ପୁଲିସ ଅଧିକାରୀ ବି ମାମଲା ସମ୍ପର୍କରେ ପଚାରିଥିବା ବେଳେ ଥାନା ବାବୁ ତାଙ୍କୁ ବି ଭୁତିଆ ବନାଇ ଦେଇଥିଲେ ବୋଲି ଥାନାର କେତେକ କର୍ମଚାରୀ ପ୍ରକାଶ କରିଛନ୍ତି । ତାଙ୍କ କହିବା ଥିଲା ଥାନା ବାବୁ କାଳେ ବରିଷ୍ଠ ଅଧିକାରୀଙ୍କୁ କହିଥିଲେ ଯେ, ସାର ମୋ ଏରିଆ ଏବେ ପୂରା ଶାନ୍ତ । ଲୋକଙ୍କୁ ମୁଁ ତାଗିଦ କରିବାରୁ ଆଉ କେହି ଉତ୍ପାତ ହେଉନାହାନ୍ତି । ତେଣୁ ମାମଲା କମିଛି । ଏହା ମୋ ଲାଗି ଏକ ଗର୍ବ ଆଜ୍ଞା ।
ତେବେ ଆଇଆଇସିଙ୍କ ଏଭଳି ମିଠା ଭାଷଣ ଅନେକ ପ୍ରଶ୍ନ ଛିଡା କରିଛି । ପ୍ରଶ୍ନ ଉଠିବା ସ୍ୱାଭାବିକ ପୂର୍ବରୁ ଯେଉଁମାନେ ଏହି ଥାନା ଦାୟିତ୍ୱରେ ଥିଲେ ସେମାନେ କଣ ପାରୁନଥିଲେ? ଯଦି ନା ସେମାନେ ପୁଣି ଏତେଦିନ ତିଷ୍ଠିଥିଲେ କେମିତି? ସେପଟେ ଯିଏ କହୁଥାଏ କଅଁଳ ବଚନ, ସିଏ ପୁଣି ….ଘନ ଘନ ଫର୍ମୁଲା ଥାନା ବାବୁ ଚଳାଇଥିବା ରାଜଧାନୀରେ ଏବେ ଚର୍ଚ୍ଚାର ବିଷୟ ହୋଇଛି ।