କଟକ (ଏଟିଆର ବ୍ୟୁରୋ); ଅସୁରକ୍ଷିତ ଅବସ୍ଥାରେ ଅଛନ୍ତି ଗଜରାଜ । ବାରମ୍ବାର ନଜରକୁ ଆସୁଛି ହାତୀ ମରିବା ଖବର । ତେବେ ପୁଣିଥରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଟକ ଜିଲ୍ଲା ଆଠଗଡ ବନଖଣ୍ଡ ରାଜନଗର ରେଞ୍ଜ ଅନ୍ତର୍ଗତ ସବରତଇଲା ଅଞ୍ଚଳରେ ଏକ ମାଇ ହାତୀର ମୃତ ଦେହ ଠାବ କରାଯାଇଛି । ହାତୀର ବୟସ ୭ବର୍ଷ ବୋଲି ଜଣାପଡିଛି । ଏହି ଖବର ପାଇବା ପରେ ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା । ପରେ ବନ ବିଭାଗକୁ ଖବର ଦେବା ପରେ ବନବିଭାଗ କର୍ମଚାରୀ ମାନେ ମୃତଦେହକୁ ଉଦ୍ଧାର କରିଛନ୍ତି । ତେବେ ହାତୀ ମୃତ୍ୟୁର କାରଣ ଜଣା ପଡିନାହିଁ । କିନ୍ତୁ ମୃତଦେହ ପାଖରୁ ପ୍ରବଳ ରକ୍ତ ପଡିଥିବା ଦେଖିବାକୁ ମିଳିଥିଲା । ଏହା ସହ ସେଠାରେ ଏକ କାଠ ମୁଣ୍ଡିଆ ମଧ୍ୟ ପଡିଥିବା ନଜରକୁ ଆସିଥିଲା । ଏଣୁ ସନ୍ଦେହ ଘେରରେ ରହିଯାଇଛି ହାତୀ ମୃତ୍ୟୁ । ଘଟଣାସ୍ଥଳରେ ତଦନ୍ତ ଜାରି କରିଛି ବନବିଭାଗ ।
ପୂର୍ବରୁ ଆଠଗଡ ବନଖଣ୍ଡରେ ବହୁ ହାତୀ ମରିବା ଘଟଣା ନଜରକୁ ଆସିଛି । ୫ରୁ ୬ ବର୍ଷ ମଧ୍ୟରେ ୬୦ରୁ ଅଧିକ ହାତୀ ମରିଥିବା ଦେଖିବାକୁ ମିଳିଛି । ଏଣୁ ଏଠାରେ ହାତୀମାନେ ଅସୁରକ୍ଷିତ ଅବସ୍ଥାରେ ରହୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସେପଟେ ସମ୍ବଲପୁର ଯୁଯୁପୁରା ଭୀମଖୋଜ ସେକ୍ସନରେ ୫ ଦିନ ହେଲା ଏକ ଅସୁସ୍ଥ ହାତୀ ବୁଲୁଥିବା ସ୍ଥାନୀୟ ଲୋକ କହିଛନ୍ତି । ଏହି ଖବର ବନବିଭାଗ କର୍ମଚାରୀ ଜାଣିଥିଲେ ମଧ୍ୟ କୈାଣସି ପଦକ୍ଷେପ ନେଇନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।