ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁଣି କଂଗ୍ରେସକୁ ପଡିବ ଶନିଦଶା । ଗୋଟିଏ ପରେ ଗୋଟିଏ ଅସୁବିଧାର ସମୁଖୀନ ହେଉଛି ପ୍ରଦେଶ କଂଗ୍ରେସ । ଦଳରୁ ନିୟମିତ ତୁଙ୍ଗ ନେତାଙ୍କ ଦଳ ଛାଡିବା ପରେ ଏବେ ଆଉ ଏକ ଚିନ୍ତା ମୁଣ୍ଡ ବିନ୍ଧାର କାରଣ ହୋଇଛି । ଦଳର ଦକ୍ଷ ନେତାଙ୍କ ଦଳ ଛାଡିବା ପରେ ମର୍ଯ୍ୟାଦାଶୂନ୍ୟ ହେବାରେ ଲାଗିଛି କଂଗ୍ରେସ । ଗତ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସ ୧୬ଟି ଆସନରେ ବିଜୟ ହୋଇଥିଲା । ମାତ୍ର ଏବେ କଂଗ୍ରେସର ଆଉ ମାତ୍ର ୧୩ ଜଣ ବିଧାୟକ ଦଳରେ ଅଛନ୍ତି ।
ବିରୋଧୀ ଦଳ ବଜାୟ ରଖିବା ପାଇଁ ସବୁଦାୟ ଆସନର ୧୦ ପ୍ରତିଶତ ରହିବା ଆବଶ୍ୟକ । ଓଡିଶାର ମୋଟ ବିଧାନସଭା ଆସନ ହେଉଛି ୧୪୭ । ଏଣୁ ବିରୋଧୀ ଦଳ ମାନ୍ୟତା ପାଇବା ପାଇଁ ୧୫ଟି ଆସନ ଦରକାର । ମାତ୍ର କଂଗ୍ରେସ ପାଖରେ ରହିଛି ୧୩ । ଆସନ୍ତା ୪ ତାରିଖରେ ବିଧାନସଭାର ଶେଷ ଅଧିବେଶନ ବସିବ । ଏଣୁ ବାଚସ୍ପତି ଯଦି ଚାହିଁବେ ଏହି ଆସନରୁ ବିରୋଧୀ ଦଳ ପଦରୁ ବାହାର କରିପାରିବେ ।
କଂଗ୍ରେସର ୧୬ଟି ଆସନ ମଧ୍ୟରୁ ପ୍ରଥମେ ବିଜେପୁର ଆସନରୁ ଜିତିଥିବା ସୁବଳ ସାହୁଙ୍କ ଦେହାନ୍ତ ହୋଇଥିଲା । ଏଣୁ ତାଙ୍କ ଆସନରେ ତାଙ୍କ ସ୍ତ୍ରୀ ଉପନିର୍ବାଚନ ଜିତି ଲଢ଼ିଥିଲେ । ମାତ୍ର ସେ ବିଜେଡି ପକ୍ଷରୁ ନିର୍ବାଚନ ଲଢ଼ି ଜିତିଥିଲେ । ଫଳରେ କଂଗ୍ରେସ ପାଖରେ ୧୫ଟି ଆସନ ଥିଲା । ଯାହାଦ୍ୱରା କଂଗ୍ରେସ ପାଖରେ ବିରୋଧୀ ଦଳ କ୍ଷମତା ରହିଥିଲା । ମାତ୍ର ନିକଟରେ କୃଷ୍ଣ ସଗରିଆ ଏବଂ ନବ ଦାସ ଦଳ ଛାଡିବା ପରେ କଂଗ୍ରେସର ଆସନ ସଂଖ୍ୟା ୧୩କୁ ଖସି ଯାଇଛି । ଯାହା ଫଳରେ କଂଗ୍ରେସ ବିରୋଧୀ ଦଳ ମର୍ଯ୍ୟାଦାକୁ ହରାଇ ବସିଛି ।
ଆସନ୍ତା ୪ ତାରିଖରୁ ଶେଷ ଅଧିବେଶନ ବସୁଥିବାରୁ ଏହାର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । କାରଣ ଆଉ ତିନି ମାସପରେ ପୁବର୍ବାର ନିର୍ବାଚନ ହେବ । ସରକାର ଦେଇଥିବା ଗାଡି ଏବଂ ଦୁଇ ଜଣ କର୍ମଚାରୀ କେବଳ ଫେରାଇ ନେବେ । ଏହା ଦ୍ୱାରା ମୋର କୌଣସି ବି କ୍ଷତି ହେବ ନାହିଁ । ମୁଁ ପୂର୍ବରୁ ଯେଭଳି ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ବିରୋଧ କରୁଥିଲି ସେମିତି ବଜାୟ ରଖିବି । ସରକାରଙ୍କ ବିଭିନ୍ନ ମନ୍ଦ କାର୍ଯ୍ୟରେ ଯେଭଳି ସମାଲୋଚନା କରୁଥିଲି ସେମିତି ସମାଲୋଚନା କରିବି ବୋଲି ସୂଚନା ଦେଇଛନ୍ତି ଶ୍ରୀ ମିଶ୍ର ।
ନିର୍ବାଚନ ପାଖେଇ ଆସୁଥିବାରୁ କଂଗ୍ରେସ ହାତରୁ ଏହି ବିରୋଧୀ ଦଳ ପଦ ଯିବା ପରେ କଂଗ୍ରେସ ପାଇଁ ଅସୁବିଧା ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କାରଣ ଭୋଟରଙ୍କ ମନ ପରିବର୍ତ୍ତନ ହୋଇଯାଇପାରେ । ସେପଟେ ଶାସକ ବିଜେଡି ଧିରେ ଧିରେ କାୟା ବିସ୍ତାର କରିବାରେ ଲାଗିଛି । ଏଣୁ କଂଗ୍ରେସରୁ ନେତାଙ୍କ ଇସ୍ତଫା ଦେବା କଂଗ୍ରେସକୁ ଶନି ଦଶା ପଡିଥିବା କୁହାଯାଉଛି ।