ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ଭାଇରସକୁ ନେଇ ଚାରିଆଡେ ଭୟ । ନିକଟରେ କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମହାମାରୀ ଘୋଷଣା କରାଯାଇଛି । ଇତି ମଧ୍ୟରେ ଓଡିଶାରେ ଏହାକୂ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ବଡ ନିଷ୍ପତି ନିଆଯାଇଛି । ଏହାସହିତ ସମସ୍ତ ଦେବାଳୟ , ଜିମ୍ , ସ୍ୱିମିଙ୍ଗଫୁଲ୍, ସିନେମା ହଲ୍ ବନ୍ଦ ରହିବ ବୋଲି ବିଧାନସଭାରେ ମୁଖ୍ୟମନ୍ତ୍ରୀ ତାଙ୍କର ବିବୃତି ରଖିଛନ୍ତି । ମାତ୍ର ସ୍କୁଲ ଏବଂ କଲେଜ ମାନଙ୍କରେ ଚାଲିଥିବା ପରୀକ୍ଷା ଜାରି ରହିବ । ଏହାସହିତ କରୋନାକୁ ମୁକାବିଲା କରିବା ପାଇଁ ୨୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ପାଇଁ ମଞ୍ୁରୀ ଦିଆଯାଇଛି । ଏହାବ୍ୟତିତ ପାନ ଛେପ କୌଣସି ସ୍ଥାନରେ ନପକାଇବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । କାରଣ ଏହାଦ୍ୱାରା ସଂକ୍ରମଣ ହୋଇପାରେ ବୋଲି ସେ କହିଛନ୍ତି ।
କରୋନା ଭାଇସରକୁ ଦୃଷ୍ଟିରେ ରଖି ନିଜ ନିଜ ଭିତରେ ସଚେତନ ହେବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି । କରୋନା ଭାଇରସ ପାଇଁ କୌଣସି ଔଷଧ ନଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡିଛି ।
ସାରା ଦେଶରେ କରୋନା ନିଜର କାୟା ବିସ୍ତାର କରିବାକୁ ଲାଗିଥିବା ବେଳେ ଭାରତରେ ମଧ୍ୟ କୋରନା ନିଜର ପ୍ରଭାବ ଦେଖାଇବାକୁ ଲାଗୁଛି । ସାରା ବିଶ୍ୱରେ ୪୬୨୭ଲୋକ ମୁଣ୍ଡ ନେଇଥିବା ବେଳେ ଭାରତରେ ଗତକାଲି ପ୍ରଥମ ମୁଣ୍ଡ ନେଇଛି ମହାମାରି କରୋନା ।
ଅନ୍ୟପଟେ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ବିଧାନସଭା ମୁଲତବି ପ୍ରସ୍ତାବ ଧ୍ୱନିମତରେ ପାରିତ ହୋଇଛି। ବଜେଟ ଅଧିବେଶନ ଏପ୍ରିଲ ୯ ଯାଏ ଚାଲିବାକୁ ଧାର୍ଯ୍ୟ ହୋଇଛି।