ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ମୁକାବିଲା ପାଇଁ ସାରା ବିଶ୍ୱ ଏବେ ପ୍ରସ୍ତୁତ ହେଉଛି । ତେବେ କରୋନା ଭାଇରସରେ ୭ ହଜାରରୁ ଅଧିକ ଜୀବନ ଚାଲିଯାଇଛି । ସେହିଭଳି ଭାରତରେ ୧୪୦ରୁ ଉର୍ଦ୍ଧ ଲୋକ ଏହି ଭାଇରସରେ ସଂକ୍ରମଣ ଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଓଡିଶାରେ ମଧ୍ୟ କରୋନା ଭୟ ଦେଖିବାକୁ ମିଳିଛି । ଓଡିଶାରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟ ସରକାରଙ୍କ ତରଫରୁ କରୋନାର ମୁକାବିଲା କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ବିଭିନ୍ନ ବିଭାଗ ପକ୍ଷରୁ ଗାଇଡ ଲାଇନ ଜାରି କରାଯାଇଛି ।
ତେବେ ଇତିମଧ୍ୟରେ ଶ୍ରମ ବିଭାଗ ପକ୍ଷରୁ କରୋନା କଟକଣା ଜାରି କରାଯାଇଛି । ବିଭିନ୍ନ ସଂସ୍ଥାରେ କାମ କରୁଥିବା ଶ୍ରମିକ, କର୍ମଚାରୀଙ୍କ ପାଇଁ ଏହି କଟକଣା ଲାଗୁ କରାଯାଇଛି । କଳକାରଖାନରେ କାମ କରୁଥିବା ଶ୍ରମିକ, କର୍ମଚାରୀଙ୍କୁ କରୋନା ସଂମ୍ପର୍କରେ ସଚେତନା କରାଇବାକୁ କୁହାଯାଇଛି । ଏହା ସହ ସେମାନେ ପାଇଁ ସାବୁନ ଓ ସାନିଯାଇଜର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କିପରି ଶ୍ରମିକ ଓ କର୍ମଚାରୀ ମାନେ ବାରମ୍ବାର ସାବୁନ ଓ ସାନିଟାଇଜରରେ ହାତ ଧୋଇବେ ସେନେଇ ସଂସ୍ଥାକୁ ସଜାଗ ରହିବାକୁ କୁହାଯାଇଛି । ଏହା ସହ ବଡ ବଡ ସଂସ୍ଥାରେ ଏକା ସାଙ୍ଗରେ ଅଧିକ କର୍ମଚାରୀଙ୍କୁ କାମ କରାଇବାକୁ ମନା କରାଯାଇଛି । ଏନେଇ ସମସ୍ତ ଅଫିସ୍ ମୁଖ୍ୟ ଓ ଠିକାଦାରଙ୍କୁ ଶ୍ରମ କମିଶନର ଚିଠି ଲେଖି ଗାଇଡ଼ଲାଇନ୍ ଜାରି କରିଛନ୍ତି।