ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ କରୋନା ମହାମାରୀର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଦୃଷ୍ଟାନ୍ତମୂଳକ ପଦକ୍ଷେପମାନ ଗ୍ରହଣ କରୁଛନ୍ତି । ବିଦେଶରୁ ଫେରିଥିବା ସମସ୍ତ ବ୍ୟକ୍ତିଙ୍କର ତଥ୍ୟ ସରକାରୀ ୱେସାଇଟରେ ରଖିବା ସହ ସେମାନଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦିଆଯାଉଛି । ତେବେ ବିଦେଶରୁ ଫେରିଥିବା ବ୍ୟକ୍ତିମାନଙ୍କ ଠାରେ ଏହି ରୋଗର ସଂକ୍ରମଣର ଏପର୍ଯ୍ୟନ୍ତ ଦେଖା ଦେଉନଥିବା ବେଳେ ସରକାର କିନ୍ତୁ ଆଗୁଆ ସର୍ତକ ହୋଇ କେତେକେ ପରାମର୍ଶ ପ୍ରଦାନ କରିଛନ୍ତି । ସରକାରଙ୍କ ପରାମର୍ଶ ଅନୁଯାୟୀ ବିଦେଶରୁ ଫେରିଥିବା ସମସ୍ତ ବ୍ୟକ୍ତିମାନେ ନିଜକୁ ୧୪ଦିନ ପର୍ଯ୍ୟନ୍ତ ହୋମ କ୍ୱାରେଣ୍ଟାଇନରେ ରହିବାକୁ କୁହାଯାଇଛି । ଯାହାଫଳରେ ସେମାନଙ୍କଠାରେ ଥିବା ସଂକ୍ରମିତ ଭୂତାଣୁ ଯେପରି ଅନ୍ୟ କାହା ପାଖକୁ ସଂକ୍ରମିତ ନହେବ ।
ବାହାରୁ ଆସିଥିବା ସମସ୍ତ ବ୍ୟକ୍ତିମାନେ ନିଜକୁ ଘରେ ହୋମ କ୍ୱାରେଣ୍ଟାଇନ କରିପାରିବେ ନଚେତ ଘରେ ନରହି ସରକାରଙ୍କ ଦ୍ୱାରା କରାଯାଇଥିବା ସ୍ଥାନରେ ରହିବାକୁ ଚାହୁଁ ଥିଲେ ସେମାନଙ୍କ ପାଇଁ ସରକାରୀ କୋଠାରେ ମାଗଣାରେ ରହିବାର ବ୍ୟବସ୍ଥା କରାଯାଇଛି । ଏହାବାଦ ଯଦି କିଏ ନିଜ ଖର୍ଚ୍ଚରେ ହୋଟେଲ ରୁମରେ କ୍ୱାରେଣ୍ଟାଇନରେ ରହିବାକୁ ଚାହିଁବେ ତାଙ୍କ ପାଇଁ ମଧ୍ୟ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ରାଜଧାନୀରେ ୩ଟି ହୋଟେଲ୍ରେ କ୍ୱାରେଣ୍ଟାଇନ୍ ପାଇଁ ସୁବିଧା ପ୍ରଦାନ କରିବ । ସେହି ହୋଟେଲ ଗୁଡିକ ହେଲା ଜୟଦେବ ବିହାରସ୍ଥିତ ଜିଞ୍ଜର ହୋଟେଲ, ଶହୀଦନଗରସ୍ଥିତ ଏମ୍ପାୟର୍ସ ଏବଂ କଳ୍ପନାସ୍ଥିତ ହୋଟେଲ କଳିଙ୍ଗ ଅଶୋକା । ଏହିସବୁ ହୋଟେଲରେ ସଂଦିଗ୍ଧ ଜଣକ ନିଜ ପଇସା ଖର୍ଚ୍ଚ କରି ରହିପାରିବ ।
ସେଠାରେ ତାଙ୍କୁ ପ୍ରତ୍ୟେକ ଦିନ ୨୫୦୦ଟଙ୍କା ଦେବାକୁ ପଡିବ । ଏହି ହୋଟେଲମାନଙ୍କରେ ସଂଦିଗ୍ଧଙ୍କୁ ସମସ୍ତ ପ୍ରକାର ସୁବିଧା ସହ ଜଳଖିଆ , ମଧ୍ୟାହ୍ନ ଓ ରାତ୍ରୀ ଭୋଜନ ବ୍ୟବସ୍ଥା କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ବିଦେଶରୁ ଆସିଥିବା ଲୋକଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖା ନ ଯାଉଥିଲେ ମଧ୍ୟ ଘରେ ପୃଥକ ଭାବେ ରହିବାକୁ ସେମାନଙ୍କୁ ପରାମର୍ଶ ଦେଉଛନ୍ତି ସରକାର। ଅନ୍ୟପଟେ ପୁରୀ ଗଜପତି ମହାରାଜ ବିଦେଶ ଗସ୍ତରୁ ଆସିଥିବାରୁ ନିଜକୁ ସପରିବାର ହୋମ କ୍ୱାରେଣ୍ଟାଇନରେ ରଖିଛନ୍ତି।