ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜିକୁ ତିନିଦିନ ହେଲା ଲକ ଡାଉନରେ ଭାରତ । କରୋନାର ସଫଳ ମୁକାବିଲା ପାଇଁ ଏଇ ମାତ୍ର ଗୋଟିଏ ମାଧ୍ୟମ ରହିଛି ଯାହାକୁ ଏବେ ଦେଶ ଆପଣେଇଛି । ଚାଇନାର ଉହାନ ସହରରୁ ବ୍ୟାପିଥିବା ଏହି ଭାଇରସ ଏବେ ସାରା ବିଶ୍ୱକୁ ଠେକିରେ ପାଣି ପିଆଉଛି । ସଚେତନ ନହେଲେ ମାଡି ବସୁଛି ଆଉ ନେଇ ଯାଉଛି ଜୀବନ । ତେବେ ଭାରତରେ ମଧ୍ୟ ଦିନକୁ ଦିନ ଏହି ମହାମାରୀ ଭାଇରସ ତାର କାୟା ବିସ୍ତାର କରିବା ଆରମ୍ଭ କରିଦେଇଛି । ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ଶହ ଟପିବାକୁ ବସିଲାଣି । ସେହିଭଳି ମୃତ୍ୟୁ ସଂଖ୍ୟା ମଧ୍ୟ ପ୍ରତ୍ୟକ ଦିନ ବଢିବାରେ ଲାଗିଛି । ତେବେ ଏହି ଭିତରେ ମଣିଷତ ନିଜର ସୁରକ୍ଷା ପାଇଁ ଘର ଭିତରେ ତାଲା ବନ୍ଦ କରି ରହିଛି । ରାସ୍ତାକୁ ଓହ୍ଲାଇଲେ ଭୟ ।
ତେବେ ମଣିଷ ପାଇଁ ଏବେ ଖାଇବା ଅଭାବରୁ ଜୀବନ ଛଟପଟ ହେଲାଣି ସହରରେ ବୁଲୁଥିବା ପଶୁଜନ୍ତୁ । ବେଶିକରି ବୁଲା ଗାଈ, ଗୋରୁ ଓ ଷଣ୍ଢ । ସହର ବଜାର ଘାଟ ବନ୍ଦ ରହିଥିବାରୁ ଖାଇବା କଥାତ ଦୂରର କଥା ପାଣି ମୁନ୍ଦେ ବି ତାଙ୍କ ଜୀବନ ପାଇଁ ନାହିଁ । ଗାଁ ଗହଳିରେ ରହୁଥିବା ଜୀବଜନ୍ତୁ ଜେନେତନ ପ୍ରକାରେ ବଞ୍ଚି ଯାଇ ପାରନ୍ତି । ହେଲେ ସହରରେ ବୁଲୁଥିବା ଜୀବଜନ୍ତୁଙ୍କ ଅବସ୍ଥା ଏବେ ଠାରୁ ଖରାପ ହେବାକୁ ଲାଗିଲାଣି । ଅବଶ୍ୟ ସହରରେ କିଛି ସ୍ୱେଚ୍ଛାସେବୀ ଓ ଦରଦୀ ମଣିଷ ମାନେ ସେମାନଙ୍କୁ ଖାଇବାକୁ ଦେଉଥିବା ଦେଖିବାକୁ ମିଳୁଛି ମାତ୍ର ତାହା ସମୁଦ୍ରକୁ ଶଂଙ୍ଖେ । ଯଦି ପ୍ରତ୍ୟକ ମଣିଷ ଏଥିପାଇଁ ଟିକେ ଯତ୍ନବାନ ନହେବେ ତେବେ ଆଗାମୀ ଦିନରେ ହୁଏତ ସହରରୁ ଏମାନେ ଲୁପ୍ତ ହୋଇଯିବେ । କାରଣ ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ପ୍ରତ୍ୟକ ଜୀବ ଜନ୍ତୁଙ୍କର ଦୁନିଆରେ ବଞ୍ଚି ରହିବା ଆଶ୍ୟକ ।