ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆଉ କିଛି ଘଣ୍ଟା ପରେ ଓଡିଶାବାସୀଙ୍କୁ ମିଳିବାକୁ ଯାଉଛି କରୋନା ଟିକା । ଆଜିଠୁ ରାଜ୍ୟବାସୀଙ୍କୁ ମିଳିବ କରୋନା ଟିକା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୂର୍ବାହ୍ନ ୧୦.୩୦ ରେ ବିଶ୍ୱର ବୃହତ୍ତଟିକାକରଣ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ ।
ପ୍ରଥମ ଦିନରେ ୩ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଟିକା ଦିଆଯିବ । ସେହିପରି ମୁଖ୍ୟମନ୍ତ୍ରୀ ମଧ୍ୟ ଦିନ ୧୨ ଟାରେ ହିତାଧିକାରୀଙ୍କ ସହିତ ଆଲୋଚନା କରିବେ । ଯେଉଁମାନଙ୍କୁ ଟିକା ଦିଆଯିବ ସେମାନଙ୍କୁ ରାଜ୍ୟସରକାରଙ୍କ ପକ୍ଷରୁ ମେସେଜ୍ ଦିଆଯାଇଛି । ପ୍ରତ୍ୟେକ ଟିକାଦାନ କେନ୍ଦ୍ରରେ ୧୦୦ ଜଣଙ୍କୁ ଟିକା ଦିଆଯିବ ।
ପ୍ରଥମ ପର୍ଯ୍ୟାୟରେ ଟିକାଦାନ ପାଇଁ ରାଜ୍ୟରେ ପୂର୍ବରୁ ୧୬୦ ଟି କେନ୍ଦ୍ର ଚିହ୍ନଟ ହୋଇଥିବା ବେଳେ ଏଥିରେ ଏମସ କୁ ଯୋଗ କରାଯାଇଛି । ଟିକାକରଣ ପାଇଁ ଟିକାଦାନ କେନ୍ଦ୍ରରେ ୫ ଜଣିଆ ଟିମ ଗଠନ କରାଯାଇଛି । ରାଜ୍ୟରେ କୋଭାସିଲ୍ଡ ଟିକାର ୪ ଲକ୍ଷ ୮ ହଜାର ଡୋଜ ରହିଥିବା ବେଳେ କୋଭାକ୍ସିନ ୨୦ ହଜାର ରହିଛି ।
୧୮ ବର୍ଷରୁ ଅଧିକ , ଗର୍ଭବତୀ ମହିଳା ,ଗୁରୁତର ରୋଗରେ ଅସୁସ୍ଥ ଥିବା ବ୍ୟକ୍ତି , ମେଡିକାଲରେ ଭର୍ତ୍ତି ହୋଇଥିବା ରୋଗୀ ଏବଂ ୧୪ ଦିନ ମଧ୍ୟରେ ଯଦି ଅନ୍ୟ କୈାଣସି ଟିକା ନେଇଥିବେ ତେବେ ସେମାନଙ୍କୁ ଏହି ଟିକା ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ବିଶ୍ୱର ଏହା ହେଉଛି ସର୍ବବୃହତ୍ତଟିକାକରଣ କାର୍ଯ୍ୟକ୍ରମ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଦେଶବ୍ୟାପୀ ଟିକାକରଣ ଅଭିଯାନ ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ।ରାଜ୍ୟରେ ୩ଲକ୍ଷ ୩୮ ହଜାର ସ୍ୱାସ୍ଥ୍ୟ କର୍ମୀ ପଞ୍ଜିକୃତ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୯୨ ହଜାର ଲୋକଙ୍କୁ ଟିକା ଦିଆଯିବ ।