ଭୁବନେଶ୍ୱର(ଏଟିଆର ବ୍ୟୁରୋ):ପୁଣି ରାଜ୍ୟକୁ ଫେରିଲା ଶୀତ । ଗତ କିଛି ଦିନ ହେବ ଥଣ୍ଡା କମିଯାଇଥିବା ବେଳେ ଏବେ ପୁଣି ଥରେ ଶୀତ ବଢିବାରେ ଲାଗିଛି ।ଆଭ୍ୟନ୍ତରୀଣ ଓଡିଶାରେ ଶୀତର ପ୍ରକୋପ ଅନୁଭୂତ ହୋଇଥିବା ବେଳେ ଉପକୂଳ ଓଡିଶାରେ ମଧ୍ୟ ଥଣ୍ଡା ବଢିବାରେ ଲାଗିଛି । ଆଉ ୨ ରୁ ୩ ଦିନ ଏପରି ଥଣ୍ଡା ରହିବ ବୋଲି ଅନୁମାନ କରାଯାଉଛି ।
ଗତ ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୩ ରୁ ୪ ଡିଗ୍ରୀ ଖସିଥିବା ବେଳେ ଉପକୂଳ ଓଡିଶାରେ ୧ଡିଗ୍ରୀ କମିଛି । ଓଡିଶାରେ ରାତିର ତାପମାତ୍ରା ସ୍ୱାଭବିକଠାରୁ ୩ ରୁ ୪ ଡିଗ୍ରୀ କମି ଏହା ପୁଣି ଧୀରେ ଧୀରେ ତାପମାତ୍ରା ବଢିବ ବୋଲି କୁହାଯାଇଛି । କେନ୍ଦୁଝର,ଅନୁଗୁଳ , ମାଲକାନଗିରି , ଓ କୋରାପୁଟ ଆଦି ଜିଲ୍ଲାରେ କିଛି କିଛି ଅଞ୍ଚଳରେ ବି କୁହୁଡି ଦେଖିବାକୁ ମିଳିଛି ।
ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ୬ ଡିଗ୍ରି ରେକର୍ଡ ହୋଇଛି ।ସେହିପରି ଝାରସୁଗୁଡାରେ ୭.୪ ଡିଗ୍ରୀ ,ଦାରିଙ୍ଗବାଡିରେ ୮.୫,ସୁନ୍ଦରଗଡରେ ୯.୦,ଓ ବଲାଙ୍ଗୀର ରେ ୧୦ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି ।ଫୁଲବାଣୀ ସମେତ ଆଉ ୪ ଟି ସହରର ତାପମାତ୍ରା ମଧ୍ୟ ୧୦ ଡିଗ୍ରୀ ତଳେ ରହିଛି ।
ବର୍ତ୍ତମାନ ଉପକୂଳ ଓଡିଶାରେ ସର୍ବନିମ୍ନ ତାପକାତ୍ରା ସ୍ୱାଭବିକ କିମ୍ବା ସ୍ୱାଭାବିକଠାରୁ ଟିକେ ଅଧିକ ରହିଛି । ଏଠାରେ ସର୍ବନିମ୍ନ ତାପମାତ୍ରା ୧୭ ରୁ ୨୦ ମଧ୍ୟରେ ରହିଛି । ଆଭ୍ୟନ୍ତର ଓଡିଶାରେ ତାପମାତ୍ରା ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।