ବାଲୁଗାଁ (ଏଟି ଆର ବ୍ୟୁରୋ):ହାତରୁ ଛାଡି ନଥିଲା ମେହେନ୍ଦିର ଦାଗ,ସଂସାର କଣ ବୁଝିବା ଆଗରୁ ଆଖି ବୁଝିଲେ ନବବିବାହିତ ଦମ୍ପତି , ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକର ଅଞ୍ଚଳରେ ସାନ ନଇରି ଠାରେ । ସୂଚନା ମୁତାବକ, ଦୁଇମାସ ତଳେ ପୁରୀ ଜିଲ୍ଲା ଅନ୍ତର୍ଗତ ବସନ୍ତପୁରର ବାଆଜୀ ଜେନାଙ୍କ ଝିଅକୁ ସାନ ନଇରି ଗ୍ରାମର ସନାତନ ସାହୁ(୨୨) ପ୍ରେମ ବିବାହ କରିଥିଲେ । ହେଲେ ଗତ କିଛିଦିନ ହେବ ଉଭୟ ସ୍ୱାମୀ –ସ୍ତ୍ରୀଙ୍କ ମଧ୍ୟରେ ଯୌତୁକକୁ ନେଇ ଝଗଡା ହେଉଥିଲା ।
ଗତକାଲି ପୁଣି ଏହାକୁ ନେଇ ଝଗଡା ହେବାରୁ ସନାତନ ରାଗିଯାଇ ଘରୁବାହାରି କେଉଁ ଆଡେ ଚାଲି ଯାଇଥିଲେ ।ଏହି କଳହକୁ ସହି ନପାରି ଶିବାନୀ ରାତିରେ ନିଜେ ନିଜ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ , ରାଗ ଥଣ୍ଡା ହେବା ପରେ ଘରକୁ ଫେରି ସନାତନ ଶିବାନୀ ଆତ୍ମହତ୍ୟା କରିଥିବାର ଦେଖି ସଙ୍ଗେ ସଙ୍ଗେ ମାଙ୍କୁ ଜଣାଇଥିଲେ । ଏ ସମ୍ପର୍କରେ ମାଆ ବାଣପୁର ଥାନାକୁ ଖବର ଦେଇଥିଲେ । ପୋଲିସ କାଳେ ସନାତନଙ୍କୁ ଗିରଫ କରିବ ସେ ଭୟରେ ସନାତନ ବି ନିଜକୁ ଘର ଭିତରେ ବନ୍ଦକରି ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ ।ସକାଳୁ ବାଣପୁର ଥାନା ଅଧିକାରୀ ସଂଜୟ କୁମାର ପଟ୍ଟନାୟକ ପହଞ୍ଚି ତଦନ୍ତ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।