ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ କରୋନା ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ଏହାରି ଭିତରେ କରୋନା ମୁକାବିଲା କରିବା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର ।ଏଣିକି ରାଜ୍ୟର ପ୍ରତି ପଞ୍ଚାୟତରେ କୋଭିଡ କେୟାର ହୋମ୍ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । କୋଭିଡ କେୟାର ହୋମରେ ୧୦ରୁ ୨୦ ଜଣ ବ୍ୟକ୍ତି ପ୍ରାଥମିକ ଚିତ୍କିସା ପାଇପାରିବେ । ଏହି କୋଭିଡ କେୟାର ହୋମରେ ରାଜ୍ୟର ଗ୍ରାମାଞ୍ଚଳରେ ପ୍ରାୟ ୭୦ ହଜାରରୁ ଉର୍ଦ୍ଧ୍ୱ ଲୋକ ରହିପାରିବେ । ପ୍ରାଥମିକ ଲକ୍ଷଣ ଯଥା ଥଣ୍ଡା, ଜ୍ୱର, କାଶ ହେଉଥିବା ଲୋକଙ୍କୁ ପ୍ରଥମେ ଉକ୍ତ ହୋମରେ ରଖାଯିବ ।
ଟେଷ୍ଟିଂ ପରେ ରିପୋର୍ଟ ପଜେଟିଭ ଆସିଲେ କୋଭିଡ ହସ୍ପିଟାଲକୁ ସେମାନଙ୍କ ସ୍ଥାନାନ୍ତର କରାଯିବ । କୋଭିଡ କେୟାର ହୋମ୍ ପରିଚାଳନା ଦାୟିତ୍ୱ ସରପଞ୍ଚଙ୍କ ହାତରେ ରହିବ । କୋଭିଡ ପରିଚାଳନା ବିକେନ୍ଦ୍ରୀକରଣ ପାଇଁ ୱାର୍ଡ କମିଟି ଗଠନ ହେବ । କମିଟିରେ ୱାର୍ଡ ସ୍ତରୀୟ ପ୍ରତିନିଧିଙ୍କ ସହ ଆଶା, ଅଙ୍ଗନବାଡି କର୍ମୀ ରହିବେ । କମିଟିରେ ଆଶା, ଅଙ୍ଗନବାଡି କର୍ମୀ, ଏଏନଏମ, ଏସଏଚଜି ସଦସ୍ୟାମାନେ ମଧ୍ୟ ସାମିଲ ରହିବେ । ପ୍ରତି କମିଟିକୁ ୧୦ ହଜାର ଟଙ୍କା ପର୍ୟ୍ୟନ୍ତ ଖର୍ଚ୍ଚ କରିବାର କ୍ଷମତା ଦିଆଯିବ । ସେହିପରି ସହରାଞ୍ଚଳରେ ୱାର୍ଡ କମିଟି ୱାର୍ଡ ଅଫିସରଙ୍କ ଦ୍ୱାରା ପରିଚାଳିତ ହେବ ।
ସେହିପରି ସହରାଞ୍ଚଳରେ ବଡ ବଡ ବସ୍ତିରେ କୋଭିଡ କେୟାର ହୋମ୍ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪ ହଜାର ୩୩୮ ଜଣ କରୋନା ପଜେଟିଭ ଚିହ୍ନଟ ହୋଇସାରିଲେଣି । ସେମାନଙ୍କ ମଧ୍ୟରୁ ୨ ହଜାର ୯୭୪ ଜଣ ଭଲ ହୋଇ ଘରକୁ ଫେରି ଥିବା ବେଳେ ୧ହଜାର ୩୫୦ଟି ସକ୍ରାୟ ମମଲା ରହିଛି ।