ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତୀୟ ସେନାରେ ସ୍ଥାୟୀ କମିଶନର ପ୍ରକ୍ରିୟାରେ ଭେଦଭାବ କରାଯାଇଥିବା ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସେନା ବାହିନୀ ବିଶେଷ କରି ଆର୍ମିରେ ସ୍ଥାୟୀ କମିଶନ ପାଇଁ ମହିଳା ଅଫିସରଙ୍କ ପାଇଁ ଧାର୍ୟ୍ୟ ମେଡିକାଲ ଫିଟନେଶର ମାନଦଣ୍ଡ ତର୍କହୀନ ଓ ଏକପାଖିଆ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି।
ସେନାରେ ‘ପର୍ମାନେଣ୍ଟ୍ କମିସନ୍’ ନିମନ୍ତେ ୮୦ଜଣ ମହିଳା ଅଧିକାରୀ ଫାଇଲ୍ କରିଥିବା ପିଟିସନ୍ର ଶୁଣାଣି କରିବା ବେଳେ ସୁପ୍ରିମ୍ କୋର୍ଟ ଏ କଥା କହିଛନ୍ତି।ମହିଳାଙ୍କୁ ସ୍ଥାୟୀ କମିଶନର ପ୍ରଦାନ ପ୍ରସଙ୍ଗର ରିଭ୍ୟୁ କରିବା ସହିତ ୨ ମାସ ମଧ୍ୟରେ ଯୋଗ୍ୟ ମହିଳା କର୍ମଚାରୀଙ୍କୁ ସ୍ଥାୟୀ କମିଶନର ଦେବାକୁ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି ।
ଆମେ ଜାଣିବାକୁ ପାଇଛୁ ଯେ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରିଥିବା ମହିଳାଙ୍କୁ ମଧ୍ୟ ଅଣଦେଖା କରାଯାଇଛି। ଆମେ ରାୟରେ ମହିଳାମାନେ ହାସଲ କରିଥିବା ସଫଳତାର ବିସ୍ତୃତ ତଥ୍ୟ ଦେଉଛୁ। ଆମକୁ ଲାଗୁଛି ବୋର୍ଡ ସିଲେକ୍ସନ ନୁହେଁ ବରଂ କେବଳ ରିଜେକ୍ଟ କରିବାକୁ ଗଠନ ହୋଇଛି। ସ୍ଥାୟୀ କମିଶନ ପାଇଁ ମହିଳାଙ୍କ ମେଡିକାଲ ଫିଟନେଶକୁ ଆଧାର କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି, ୨୦୧୦ ମସିହାରେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ମହିଳାମାନଙ୍କୁ ସ୍ଥାୟୀ କମିଶନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ୨୮୪ ଜଣଙ୍କ ମଧ୍ୟରୁ କେବଳ ୧୬୧ ମହିଳାଙ୍କୁ ସ୍ଥାୟୀ କମିଶନ ଦିଆଯାଇଛି। ଅନ୍ୟମାନଙ୍କୁ ମେଡିକାଲ ଗ୍ରାଉଣ୍ଡ ଆଳରେ ସ୍ଥାୟୀ କମିଶନ ପ୍ରଦାନ କରାଯାଇ ନଥିଲା।