ଜଗତସିଂହପୁର(ଏଟିଆର ବ୍ୟୁରୋ): ନିଖୋଜ ଥିବା ନର୍ସଙ୍କ ଗଳିତ ଶବ ଆଜି ବିଲୁଆଖାଇ ନଦୀ ପଠାରୁ ଉଦ୍ଧାର କରିଛି ବରିଡି ଥାନା ପୋଲିସ । ସୂଚନା ଅନୁସାରେ ମୃତ ଯୁବତୀ ନିହାରୀକା ପାତ୍ର କଟକର ଏକ ଘରୋଇ ନର୍ସିଂହୋମରେ କାମ କରୁଥିଲେ । ଗତ ୮ତାରିଖରୁ ନିହାରିକା ନର୍ସିଂହୋମରୁ ବାହାରି ଜଣେ ଯୁବକଙ୍କ ସାଙ୍ଗରେ ଯାଇଥିଲେ । ଏହା ପରେ ସେ ୯ ତାରିଖରେ ଆଉ କାମ କରିବାକୁ ଆସି ନଥିଲେ । ସେପଟେ ପରିବାର ଲୋକ ବହୁ ଖୋଜା ଖୋଜି କଲା ପରେ ମଧୁପାଟଣା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗକୁ କେନ୍ଦ୍ର କରି ନିହାରିକାଙ୍କୁ ଖୋଜୁ ଥିଲା । ତେବେ ଆଜି ସକାଳୁ ନିହାରିକାଙ୍କ ଶବ ଅଖାରେ ଗୁଡା ହୋଇ ବିଲୁଆଖାଇ ନଦୀ ପଠାରେ ଦେଖିବାକୁ ମିଳିଥିଲା ।
ଏହା ପରେ ବିରିଡି ଥାନା ଶବକୁ ଜବତ କରିବା ସହ ମଧୁପାଟଣା ଥାନାକୁ ଜଣାଇ ଥିଲା । ମଧୁପାଟଣା ପୋଲିସ ନିହାରିକାଙ୍କ ପରିବାରଙ୍କ ସହ ଯୋଗାଯୋଗ କରିଥିଲେ । ନହାରିକାଙ୍କ ପରିବାର ଲୋକ ଶବ ଚିହ୍ନଟ କରିଥିଲେ । ବର୍ତ୍ତମାନ ନିହାରିକା ଯାଇଥିବା ଯୁବକ କିଶୋର ଚନ୍ଦ୍ର ଆଞ୍ଚଲଙ୍କୁ ଡାକି ପଚାରାଉଚରା କରିଥିବାର ଜଣା ପଡିଛି । ନିହାରିକାଙ୍କ ପରିବାର ଲୋକ ନିହାରିକାଙ୍କୁ ପ୍ରେମ ସଂର୍ମ୍ପକକୁ ନେଇ ହତ୍ୟା କରାଯାଇଥିବାର ସନ୍ଦେହ ପ୍ରକାଶ କରିଛନ୍ତି । ନିହାରିକାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଭିଙ୍ଗାରପୁର ଅଞ୍ଚଳରେ ବୋଲି ଜଣାପଡିଛି ।