ଖୋର୍ଦ୍ଧା ( ଏଟିଆର ବ୍ୟୁରୋ): ଖୋର୍ଦ୍ଧା ବେଗୁନିଆରେ ଏନକାଉଣ୍ଟର କଲା ପୋଲିସ, ପୁଲିସ ଗୁଳିରେ ଆହତ ହେଲେ ଦୁଇ ଦୁର୍ଦାନ୍ତ ଅପରାଧୀ । ସୂଚନା ଅନୁସାରେ ବେଗୁନିଆ ଅଞ୍ଚଳର ଦୁଇ କୁଖ୍ୟାତ ଅପରାଧୀ ରମେଶ ସାହୁ ଓ ପିଣ୍ଟୁ ମାଝି ଉଭୟ ୭ ରୁ ୧୦ ତାରିଖ ପର୍ଯ୍ୟନ୍ତ ବେଗୁନିଆ, କାଇପଦ ଅଞ୍ଚଳରେ ଆକ୍ରାନ୍ତ କରୁଥିଲେ । ୭ ତାରିଖରେ ଦଲକ ଗ୍ରାମର ପ୍ରତାପ ବଡଜେନାଙ୍କୁ ଗୁଳି ମାରି ଆହାତ କରିଥିବା ଏହି ଦୁଇ ଅପରାଧୀ ପୂର୍ବରୁ ଚୋରୀ, ଡକାୟତି, ବ୍ୟାଙ୍କଲୁଟ, ଗୁଳିକାଣ୍ଡ, ଏଟିଏମ ଭଳି ସଂଗୀନ ଅପରାଧରେ ଜଡିତ ରହିଥିଲେ ।
ଯାହାଫଳରେ ଦୁଇ ଜଣଙ୍କ ପାଇଁ ଲୋକେ ଭୟରେ ରହୁଥିଲେ । ତେବେ ଗତକାଲି ଅପରାହ୍ନରେ ଏହି ଦୁଇ ଅପରାଧୀ ଅସ୍ତ୍ରଶସ୍ତ୍ର ସମେତ କାଇପଦ ଅଞ୍ଚଳରେ ବୁଲୁଥିବା ଖବର ପୋଲିସକୁ ମିଳିଥିଲା । ଖବର ପାଇ ଖୋର୍ଦ୍ଧା ବେଗୁୃନିଆ ଅଞ୍ଚଳର ଏକ ସ୍ୱତନ୍ତ୍ର ଟିମ ସେମାନଙ୍କ ଉପରେ ଚଢାଉ କରିଥିଲା । ପୁଲିସକୁ ଦେଖି ଉଭୟ ଏକ କଳା ପଲସର ମୋଟର ସାଇକେଲ ମାଧ୍ୟମରେ ସେଠାରୁ ଖସି ଟିବାକୁ ଚେଷ୍ଟା କରୁଥିଲେ ।
ପୁଲିସ ସେମାନଙ୍କ ପିଛା କରିବା ଦ୍ୱାରା ସେମାନେ ପୋଲିସ ଉପରକୁ ଗୁଳି ଚଳାଇ ଥିଲେ । ପୋଲିସ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା । ଯାହାଦ୍ୱାରା ଉଭୟ ଆହତ ହୋଇଥିଲେ । ପ୍ରଥମେ ସେମାନଙ୍କୁ ଖୋର୍ଦ୍ଧା ସରକାରୀ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା । ପରେ ଭୁବନେଶ୍ୱର ପଠାଯାଇଥିବା ନେଇ ପୁଲିସ ସୂଚନା ଦେଇଛି ।