ବାଲେଶ୍ୱର(ଏଟିଆର ବ୍ୟୁରୋ): ଦିନକୁ ଦିନ ଆମ ରାଜ୍ୟରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେହିପରି ଗତ ୨୦୦୭ ମସିହାରେ ବାଲେଶ୍ୱରରେ ୬ଜଣ ବାଂଲାଦେଶୀଙ୍କୁ ଗିରଫ କରିଥିଲା ବାଲେଶ୍ୱର ପୋଲିସ । ସୂଚନା ଅନୁସାରେ ଏକ ସିରିଜ ଡକାୟତି ମାମଲାରେ ବାଂଲାଦେଶ ଫରିଦପୁର ଜିଲ୍ଲା ଭାଙ୍ଗା ଥାନା ଅନ୍ତର୍ଗତ ହାମିର୍ଦି ଗ୍ରାମର ଅରିଫ ଖାନ୍, ପୌଶା ଖାନ୍, ସେଖ୍ ଜାହିରୁଲ୍, ମହମ୍ମଦ ଆଶାଦୁଲ ମୁଲ୍ଲା, ବାବୁ ଖାନ୍, ମହମ୍ମଦଆବୁଲ ବସର ମୁଲ୍ଲା ଗିରଫ କରିଥିଲା ପୋଲିସ । ସମସ୍ତଙ୍କୁ ୧୪ ବର୍ଷ ସଶ୍ରମ କାରାଦଣ୍ଡା ହୋଇଥିଲା ।
ତେବେ କିଛି ଦିନ ପରେ ବାବୁ ଖାନ୍ ଓ ମହମ୍ମଦଆବୁଲ ବସର ମୁଲ୍ଲାଙ୍କୁ ଚୌଦ୍ୱାରା ଜେଲ ଓ ଢେଙ୍କାନାଳ ଜେଲ ପଠାଯାଇଥିଲା । ତେବେ ବାକି ଚାରିଜଣ ବାଲେଶ୍ୱର ଜେଲ ବନ୍ଦୀ ଥିଲେ । ଦୀର୍ଘ ୧୨ବର୍ଷ ପରେ ଅଥାର୍ତ ଗତ ଜୁନ୪ ତାରିଖରେ ସେମାନେ ମୁକୁଳିଥିଲେ । ସେମାନଙ୍କୁ ନିଜ ଦେଶ ଫେରାଇବାକୁ ବିଭିନ୍ନ ମହଳରେ ଚର୍ଚ୍ଚା ହେଉଥିଲା । ଗତକିଛି ଦିନ ତଳେ ସେମାନଙ୍କ ଆବଶ୍ୟକ କାଗଜପତ୍ର ସହ ବାଂଲାଦେଶ ସରକାରଙ୍କୁ ସେମାନଙ୍କୁ ହସ୍ତାନ୍ତର କରାଯିବାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଜିଲ୍ଲା ଗୁଇନ୍ଦା ବିଭାଗ ପକ୍ଷରୁ ଭାରତ ସରକାରଙ୍କ ମାଧ୍ୟମରେ ବାଂଲାଦେଶ ସରକାରଙ୍କୁ ଏହି ବିଷୟରେ ଜଣାଯାଇଥିଲା । ତିନି ମାସ ପରେ ବାଂଲାଦେଶ ସରକାର ଏହାକୁ ନେଇ ସବୁଜ ସଂକେତ ଦେଇଥିଲେ । ଆଜି ପୋଲିସର ଏକ ଟିମ ସେମାନଙ୍କୁ ନେଇ ପଶ୍ଚିମବଙ୍ଗ ଗୁଇନ୍ଦା ବିଭାଗରେ ପହଞ୍ଚିଥିଲା । ବର୍ତ୍ତମାନେ ସେମାନଙ୍କୁ ସୀମାରେ ଥିବା ବିଏସ୍ଏଫ କ୍ୟାମ୍ପରେ ରଖାଯାଇଛି । ଖୁବଶୀଘ୍ର ସେମାନଙ୍କୁ ବାଂଲାଦେଶ ରାଫେଲକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।