ରାଉଲକେଲା(ଏଟିଆର ବ୍ୟୁରୋ): ଶିକ୍ଷା ଯାହା ଭଲ ମଣିଷଟିଏ କରି ଗଢି ତୋଳିବାରେ ଅନେକ ବାଟ ଦେଖାଇଥାଏ । ସମାଜରେ ମୁଣ୍ଡ ଟେକି ବାଟ ଚାଲିବାରେ ସାହାର୍ଯ୍ୟ କରିଥାଏ । ପ୍ରତ୍ୟେକ ବାପା ମା ଚାହିଁ ଥାଆନ୍ତି ତାଙ୍କ ପିଲା ପାଠ ପଢିବ ଭଲ ମଣିଷଟିଏ ହୋଇ ସମାଜରେ ମୁଣ୍ଡ ଟେକି ବାଟ ଚାଲିବ । ସେଥିପାଇଁ ସେମାନେ ଦିନ ରାତି ଏକ କରି ଦେଇଥାନ୍ତି । ହେଲେ ଆଜିକା ସମୟରେ ବାପା ମା ଯଦି କୌଣସି ପାଠ ପଢା ବିଷୟରେ କିଛି ବି କହୁଛନ୍ତି ତେବେ ପିଲାମାନେ ଏଭଳି କିଛି ପଦକ୍ଷପ ନେଇଯାଉଛନ୍ତି ଯାହା ଦେଖି ବାପା ମା’ ମାନେ ତାଙ୍କୁ କିଛି କହିବାକୁ ଡରୁଛନ୍ତି । କିଛି ଦିନ ପୂର୍ବେ ଖବର ମିଳିଥିଲା କି ଜଣେ ୧୦ମ ଶ୍ରେଣୀର ଛାତ୍ରକୁ ତା ବାପା ପାଠ ପଢିବାକୁ କହିବାରୁ ସେ ଘର ଛାଡି କେଉଁ ଆଡେ ଚାଲି ଯାଇଥିଲା ।
ହେଲେ ଆଜି ଜଣେ ଷଷ୍ଠ ଶ୍ରେଣୀର ଛାତ୍ରକୁ ସ୍କୁଲ ଯିବାକୁ କହିବାରୁ ସେ ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛି । ସୂଚନା ମୁତାବକ, ରାଉରକେଲା ସ୍ଥିତ ବାସନ୍ତୀ କଲୋନୀର ପ୍ରଦୀପ ସାହୁ ଓ ତାଙ୍କ ସ୍ତ୍ରୀ ବଜାରକୁ ଯାଇଥିବା ବେଳେ ପୁଅ ହରେକୃଷ୍ଣ ସାହୁ (୧୪ବର୍ଷ ) ବେକରେ ଦଉଡି ଲଗାଇ ଆତ୍ମହତ୍ୟା କରିଛି । ବଜାରରୁ ଆସି ସେମାନେ ପୁଅର ଶରୀରକୁ ପଙ୍ଖାରେ ଝୁଲୁଥିବାର ଦେଖିବାକୁ ପାଇଲେ । ଘରଲୋକଙ୍କ କହିବା ଅନୁଯାୟୀ ହରେକୃଷ୍ଣକୁ ସ୍କୁଲ ଯିବା ପାଇ ବାଧ୍ୟ କରିବାରୁ ସେ ଆଗ୍ରହ ଦେଖାଉ ନଥିଲା । ସେଥିପାଇଁ ସେ ଆତ୍ମହତ୍ୟା କରିଥାଇପାରେ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ସହ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁରେ ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ କହିଛି ।