ନୟାଗଡ (ଏଟିଆର ବ୍ୟୁରୋ); ଶିକ୍ଷିତ ସମାଜରେ ଆଜି ମଧ୍ୟ ପୁରୁଣା କାଳିଆ ଯୁଗର କଙ୍ଗାରୁ କୋର୍ଟ ବିଚାର କରାଯାଉଛି । ଆଇନକୁ ନିଜ ହାତକୁ ନେଉଛନ୍ତି ଗାଁଲୋକ । ଆଇନତଃ ଦୋଷ ନକରି ମଧ୍ୟ ଗାଁଲୋକଙ୍କ କଥା ନରଖିବାରୁ ବାସନ୍ଦ ହୋଇଛନ୍ତି ଆଇଜୀବୀ । ଦୋକାନଠାରୁ ଆରମ୍ଭ କରି ପିଇବା ପାଣି ପର୍ଯ୍ୟନ୍ତ ବ୍ୟବହାର କରିବା ପାଇଁ ଦେଉନାହାଁନ୍ତି ଗାଁଲୋକ । ତେବେ ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ଖଣ୍ଡପଡା ଥାନା ଅନ୍ତର୍ଗତ ସିଙ୍ଗିବାରୀ ଗାଁରେ । ହୃଦାନନ୍ଦ ବେହେରା ନାମକ ଆଇନଜୀବୀଙ୍କୁ ଏକଘରିଆ କରି ହନ୍ତସନ୍ତ କରୁଛନ୍ତି ଗାଁଲୋକ । ଥାନାରେ ଏତଲା ଦେଇଥିଲେ ସୁଦ୍ଧା ପୋଲିସ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ କରିଛନ୍ତି ହୃଦାନନ୍ଦ ।
ସୂଚନା ଅନୁଯାୟୀ,ହୃଦାନନ୍ଦ ପେସାରେ ଜଣେ ଆଇନଜୀବୀ । ତେବେ ଗାଁର ସୁଦର୍ଶନ ବେହେରା ଏବଂ ବିଭୂତି ଭୂଷଣ ବେହେରାଙ୍କ ଜମିଜମା ମାମଲା କୋର୍ଟରେ ବିଚାର ହେଉଥିଲା । ଏହି ମାମଲାର ଦେଖାଶୁଣା କରୁଥିଲେ ହୃଦାନନ୍ଦ । ତେବେ ସେ ଗାଁ କେସକୁ କାହିଁକି ଲଢ଼ିଲେ ବୋଲି ସଭା କରି ତାଙ୍କୁ ୨୦ ହଜାର ଟଙ୍କା ଜୋରିମାନା କରିଥିଲେ । ହୃଦାନନ୍ଦ ଏଥିରେ ରାଜି ନହେବାରୁ ତାଙ୍କୁ ବାସନ୍ଦ କରାଯାଇଛି । ତେବେ ଏତିକିରେ ମନ ଶାନ୍ତି ହେଲାନି ଯେ ଗାଁଲୋକ ତାଙ୍କ ପରିବାରକୁ ବିଭିନ୍ନ ଧମକ ମଧ୍ୟ ଦେଇଥିବା ସେ ଅଭିଯୋଗ କରିଛନ୍ତି ।
ପୋଲିସରେ ଏତଲା ଦେଇଥିଲେ ସୁଦ୍ଧା ଏହାର କୌଣସି ବିଚାର କରାଯାଇନାହିଁ । ତେବେ ଜଣେ ଆଇନଜୀବୀ ଯେଉଁଠି ଏତେ ଅସୁବିଧାର ସମୁଖୀନ ହେଉଛନ୍ତି ସେଠାରେ ଜଣେ ସାଧାରଣ ଲୋକର ଅବସ୍ଥା କଣ ହେବ ବିଚାର କରନ୍ତୁ । ତେବେ ପୋଲିସ ସବୁ ଜାଣିବା ପରେ ମଧ୍ୟ ଚୁପ କାହିଁକି? ପୋଲିସର କାର୍ଯ୍ୟକୁ ନେଇ ଉଠିଛି ପ୍ରଶ୍ନବାଚୀ । କଣ ଗ୍ରାମବାସୀଙ୍କ ଭୟରେ ଗାଁରେ ପଶିବା ପାଇଁ ଭୟ କରୁଛି ପୋଲିସ । ନାଁ ଆଉ କିଛି କାରଣ ପାଇଁ ପୋଲିସ ଏହି ଅଭିଯୋଗର ବିଚାର କରୁନାହିଁ ।
ହୃଦାନନ୍ଦଙ୍କ ବାପା ମହେଶ୍ୱର ବେହେରା ଗାଁର ଜଣେ ବରିଷ୍ଟ ବ୍ୟକ୍ତି । ଗାଁର ନ୍ୟାୟ ମଧ୍ୟ କରିଛନ୍ତି । କିନ୍ତୁ ତାଙ୍କ ପରିବାରକୁ ଏଭଳି ହଇରାଣ କରିବାକୁ ନେଇ ପଡୋଶୀ ଗାଁଲୋକ ସିଙ୍ଗିବାରୀକୁ ନିନ୍ଦା କରୁଥିବା ଶୁଣିବାକୁ ମିଳୁଛି । ତେବେ ସିଙ୍ଗିବାରୀରେ ଏହି ମାମଲା ପ୍ରଥମ ନୁହେଁ । ପୂର୍ବରୁ ଗାଁର ବହୁ ଲୋକଙ୍କ ତଣ୍ଟି ଚିପି ଜୋରିମାନା ଆଦାୟ କରିଛନ୍ତି ଗ୍ରାମବାସୀ । ତେବେ ଆମେ ଆଶା କରୁଛୁ ଏହି ରିପୋର୍ଟ ପଢ଼ିବା ପରେ ପୋଲିସ ହୃଦାନନ୍ଦଙ୍କ ପରିବାରକୁ ଉଚିତ ନ୍ୟାୟ ଦେବ ।