ଭୁୁବନେଶ୍ୱର ( ଏଟିଆର ବ୍ୟୁରୋ): ବାତ୍ୟା ଫୋନି ଯେତିକି କନ୍ଦାଇଲା ତା ଠାରୁ ବେଶି କନ୍ଦାଉଛି ଖରା । ଯୁଆଡେ ଦେଖିବ ସିଆଡେ ମରିଚିକାର ଭ୍ରମ । ଗରମକୁ ଗୁଳୁଗୁଳି ଜୀବନକୁ କଲବଲ କରି ପକାଉଛି । ଗଲା ବାତ୍ୟା ପର ଠାରୁ ଖରା କମୁନି କି ବର୍ଷା ହେଉନି । ସେପଟେ ପଶ୍ଚିମ ଓଡିଶାରେ ଖରାର ତାପମାତ୍ରା ୪୫ ଡିଗ୍ରୀ ଉପରେ । ଫୁଟୁଛି ଓଡିଶା । ଘରୁ ପାଦ କାଢିଲେ ମୁହଁ ହାତ ଜଳିଯାଉଛି । ପଶ୍ଚିମ ଓଡିଶାରେ ଲୋକ ଅସ୍ତବ୍ୟସ୍ତ ହୋଇ ପଡିଲେଣି ।
ତେବେ ଖରା କେବେ କମିବ ତାହା କହି ହେଉନଥିଲେ ମଧ୍ୟ ଆଜି କିଛି ଅଞ୍ଚଳରେ କାଳବୈଶାଖିର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । କାଳ ବୈଶାଖି ହେଲେ ତା ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ତାପମାତ୍ରା କମିବ ବୋଲି ଆଶଙ୍କା କରିଛି ବିଭାଗ । ଖାଲି ପଶ୍ଚିମ ଓଡିଶା ନୁହେଁ ଉପକୂଳ ଓଡିଶାରେ ମଧ୍ୟ ପାରଦ ୪୦ ଡିଗ୍ରୀ ଉପରେ ରହୁଛି ।
ବାତ୍ୟାରେ ବଡବଡ ବୃକ୍ଷ ଭାଙ୍ଗି ଯାଇଥିବାରୁ ଲୋକେ ରାସ୍ତାରେ ଛାଇ ଟିକିଏ ପାଇଁ ଡହଳ ବିକଳ ହେଉଛନ୍ତି । ସେହିଭଳି ଏଭଳି ସମୟରେ ବିଦ୍ୟୁତ ମଧ୍ୟ କାଳ କରୁଛି । ବାତ୍ୟାରେ ପ୍ରଭାବିତ ହୋଇଥିବା ଜିଲ୍ଲା ମାନଙ୍କରେ ବିଦ୍ୟୁତ ସରବରାହ ଠିକ ହୋଇନଥିବା ହେତୁ ୧୧ ଟା ବାଜିଲେ ଗରମରେ ଆଉଟୁ ପାଉଟୁ ହେଉଛନ୍ତି ଲୋକମାନେ । ଖରାର ତାତି ଏତେ ଅଧିକ ରହିଛି ଯେ ୧୧ ଟି ଜିଲ୍ଲାକୂୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।