ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ ରାସ୍ତାରେ ସିସି ଟିଭି। ମୁଣ୍ଡ ଉପରେ ଚକର କାଟୁଛି ଡ୍ରୋନ। ଏହା ବାଦ ପୁଣି ଗଳି କନ୍ଦିରେ ତୁହାକୁ ତୁହା ପାଟ୍ରୋଲିଙ୍ଗ। ଉଦେଶ୍ୟ ଅପରାଧକୁ ରୋକିବା ଓ ନାରୀ ମାନଙ୍କୁ ସୁରକ୍ଷା ଦେବା । ହେଲେ କମିସନରେଟ ପୋଲିସର ଏଭଳି ଫଣ୍ଡାକୁ ଭାଣ୍ଡାଫୋଡ କରିଛନ୍ତି ଦୁର୍ବୁତ୍ତ । ରାତିରେ ନୁହେଁ କି ଗଳି କନ୍ଦିରେ ବି ନୁହେଁ, ସରେଆମ୍ ଆଉ ବିଚ୍ ବଜାରରେ ଜଣେ ନାବାଳିକାକୁ କରାଯାଇଛି ଅସଦାଚରଣ । ବିଶ୍ୱାସ ହେଉ ନଥିଲେ ବି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କମିସନରେଟ ପୋଲିସର ହାଇ ସିକ୍ୟୁରିଟି ଜୋନ କୁହାଯାଉଥିବା ଲକ୍ଷ୍ମୀସାଗର ଅଞ୍ଚଳରେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନାବାଳିକା ପ୍ରତି ହୋଇଥିବା ଅସଦାଚରଣର ପ୍ରତିଟି ହରକତ ସିସିଟିଭିରେ କଏଦ ହୋଇଛି । ହେଲେ ଦୁର୍ଭାଗ୍ୟ ପୋଲିସ ସିସିଟିଭିକୁ ସିନା ସାଉଣ୍ଟି ଦେଇଛି ହେଲେ ଅଭିଯୁକ୍ତର କୌଣସି ପତ୍ତା ପାଇ ପାରି ନାହିଁ । ଯାହାକୁ ନେଇ ପୁଲିସର କାର୍ଯ୍ୟଶୈଳି ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରିପୋର୍ଟ ଅନୁସାରେ ଲକ୍ଷ୍ମୀସାଗର ଅଞ୍ଚଳରେ ରହୁଥିବା ନାବାଳିକା ଜଣଙ୍କ ଟିଉସନ ସାରି ଫେରୁଥିବା ବେଳେ ଅସଦାଚରଣର ଶୀକାର ହୋଇଛନ୍ତି । ଅଭିଯୁକ୍ତ ଜଣଙ୍କ ସାଇକେଲରେ ଯାଉଥିବା ନାବାଳିକାକୁ ନିଜ ଗାଡିରେ କିଛି ବାଟ ପିଛା କରିଥିଲା । ଏହା ପରେ ଏକ ନିଛାଟିଆ ଜାଗା ଦେଖି ନାବାଳିକାକୁ ଅଟକାଇ ଦୁର୍ଷ୍କମ କରିବାକୁ ଉଦ୍ୟମ କରିଥିଲା । ନାବାଳିକା ଜଣଙ୍କ ଜୋରରେ ପାଟି କରିବାରୁ ଅଭିଯୁକ୍ତ ଜଣଙ୍କ ସେଠାରୁ ଖସି ପଳାଇଥିଲା । ଏକଥା ନୁହେଁ ଯେ ଏସବୁ ଘଟଣା କେହି ଦେଖିନଥିଲେ ବରଂ ସବୁ କିଛି ଦେଖି କେହି ପ୍ରତିବାଦ କରିବାର ସାହସ କରିନଥିଲେ । କିନ୍ତୁ ଏହି ସବୁ ଘଟଣା ସିସିଟିଭିରେ କଏଦ ହୋଇଯାଇ ଥିଲା । ନାବାଳିକା ଏହି ବିଷୟରେ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି । ଘଟଣାକୁ ୭ଦିନ ବିତିଗଲେ ମଧ୍ୟ ପୋଲିସ ହାତ ପାଙ୍କା ରହିଛି । ସବୁଠୁ ବଡ କଥା ହେଉଛି ସିସିଟିଭି ଫୁଟେଜରେ ଗାଡିଟିର ନମ୍ବର ଆସୁଥିବା ବେଳେ ପୋଲିସ କଣ ପାଇଁ ପଦକ୍ଷପ ନେଉ ନାହିଁ ତାକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି ।