ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ରାଜ୍ୟସଭା ସାଂସଦ , କେନ୍ଦ୍ରାପଡା ଲୋକସଭା ଆସନ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ଦିଆଯାଇଥିବା ହତ୍ୟା ଧମକର ଅଭିଯୁକ୍ତକୁ ଆଜି ଗୁଜୁରାଟରୁ ଗିରଫ କରିଛି ପୁଲିସ । ସୂଚନାଯୋଗ୍ୟ ଗତ ଅପ୍ରେଲ ୨୯ ତାରିଖରେ ଅନୁଭବଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ କଟକ ପୁରୀଘାଟ ଥାନାରେ ଅଭିଯୋଗ ହୋଇଥିଲା । ୧୦ ଲକ୍ଷ ଟଙ୍କା ନଦେଲେ ତାଙ୍କୁ ହତ୍ୟା କରାଯିବ ବୋଲି ୱାଟସଆପ ଜରିଆରେ ଧମକ ଦିଆଯାଇଥିଲା ।
ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ କାଳିଆ ବାରିକ ବୋଲି ଜଣାପଡିଛି । ସେ କଟକ ଝାଞ୍ଜିର ମଙ୍ଗଳାରେ ଏକ ଭଡାଘରେ ରହି ମିସ୍ତ୍ରୀ କାମ କରୁଥିଲା ବୋଲି ଜଣାପଡିଛି । ତାର ନିଜ ଘର ଗଞ୍ଜାମ । ତେବେ ଅଭିଯୁକ୍ତକୁ ଏବେ ଗୁଜୁରାଟରୁ ପୋଲିସ ଗିରଫ କରିଛି । ଅଭିନେତା ଅନୁଭବ ୨୦୧୪ରେ ପ୍ରଥମ କରି ବିଜେଡିରୁ ରାଜ୍ୟସଭାକୁ ଯାଇଥିଲେ । ୨୦୧୯ ଅର୍ଥାତ ଚଳିତ ନିର୍ବାଚନରେ ସେ ବିଜେଡି ଦଳରୁ କେନ୍ଦ୍ରାପଡା ଆସନରୁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ବିଜେଡି ଛାଡି ବିଜେପିରେ ଯୋଗଦେଇଥିବା ନେତା ବୈଜୟନ୍ତ ପଣ୍ଡା । ଅଭିଯୁକ୍ତକୁ ଗୁଜୁରାଟରୁ ସ୍ପେଶାଲ ସ୍କ୍ୱାଡ ଗିରଫ କରିଛି ।