ଭୁବନେଶ୍ୱର,(ଏଟିଆର ବ୍ୟୁରୋ): କାମ କରୁନି ବନ ବିଭାଗର ଫଣ୍ଡା । ଯେତେ ଯାହା କଲେ ବି ଆଇନ କାନୁନର ଧଜିଆ ଉଡାଇବାରେ ବ୍ୟସ୍ତ ଶିକାରୀମାନେ । ଅବାଧରେ କରୁଛନ୍ତି ପକ୍ଷୀ ଶିକାର । ଏଭଳି ଏକ ଘଟଣା ପୁଣି ନଜରକୁ ଆସିଛି ଚିଲିକାରେ । ଚିଲିକା ଉପକୂଳ ବାଲିପାଟପୁର ଓ ଅଭିମାନପୁର ଅଞ୍ଚଳରେ ନଜରକୁ ଆସିଥିବା ଏଭଳି କିଛି ଦୃଶ୍ୟ ପୂରା ଓଡିଶାର ବନବିଭାଗର କାଇଦାକାନୁନର ଗଳା ବାଟକୁ ପଦାରେ ପକାଇଛି ।
ଗୋଟିଏ କି ଦୁଇଟି ନୁହେଁ ଏକାସଙ୍ଗେ ୩୦ଟି ବିଦେଶୀ ପକ୍ଷୀଙ୍କ ମୃତଦେହ ଠାବ ହୋଇଛି । ଯଦିଓ ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ତେବେ ଘଟଣାର ଚେର କେତେବାଟ ଲମ୍ବିଛି ତାହା ଏବେ ବି ପ୍ରଶ୍ନବାଚୀ । ସେପଟେ ଏନେଇ ଅଧିକ ଖୋଳତାଡ ଆରମ୍ଭ କରିଛି ବନବିଭାଗ । ଗିରଫ ଅଭିଯୁକ୍ତମାନେ ହେଲେ ଗୋପୀନାଥପୁରର ବାବୁଲି ପ୍ରଧାନ ଓ ଅଭିମାନପୁରର ଗୋପୀନାଥ ପରିଡ଼ା । ଉଭୟଙ୍କ ପାଖରୁ ଏକ ବାଇକ ଜବତ କରିଛି ବନ ବିଭାଗ । ତେବେ ଆଜି ଭୋର ସମୟରେ ଉଭୟ ପକ୍ଷୀ ଶିକାର କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ବନବିଭାଗ ।
ହେଳା ନକରି ବନବିଭାଗ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ ଆରମ୍ଭ କରିଥିଲେ । ଚଢ଼ାଉରେ ଉଭୟ ରଙ୍ଗେହାତ ଧରା ପଡିବା ପରେ ସେମାନଙ୍କ ପାଖରୁ ଜବତ ହୋଇଥିଲା ୩୦ଟି ବିଦେଶୀ ପକ୍ଷୀଙ୍କ ମୃତଦେହ । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକ ଓ ପରିବେଶବିତଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି ।