ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଲକ୍ଷ୍ମୀସାଗର ଥାନା ଝାରପଡ଼ା ଅଞ୍ଚଳରୁ ଗତକାଲି ୩୦ଟି ଅଫୁଟା ବୋମା ଜବତ ଘଟଣାରେ ସ୍ଥାନୀୟ ପୁଲିସ୍ ଆଜି ୫ଜଣକୁ କୋର୍ଟ ଚାଲାଣ କରିଛି । ଉକ୍ତ ଘଟଣାରେ ମୁଖ୍ୟ କାର୍ପଟଦାର ନୁନିଆ ଥିବାରୁ ତାଙ୍କୁ ପୁଲିସ୍ ୭ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆସନ୍ତାକାଲି ଏସ୍ଡିଜେଏମ୍ କୋର୍ଟଙ୍କ ନିକଟରେ ଆବେଦନ କରିବ ବୋଲି ଥାନା ଅଧିକାରୀ ଦୟାନିଧି ନାୟକ ସୂଚନା ଦେଇଛନ୍ତି ।
ଏଥିସହ ବୋମା ଜବତ ହୋଇଥିବା ଫ୍ୟାବ୍ରିକେସନ୍ ଫ୍ୟାକ୍ଟ୍ରି କୁନୁ ଜେନାର ବୋଲି ପୁଲିସ୍ ଜାଣିବାକୁ ପାଇଛି । ଖାଲି ଏତିକି ନୁହେଁ କୁନୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିୟାନଙ୍କ ଘରେ ଗୋବର ମାଡ଼ କରି ଏବେ ଝାରପଡ଼ା ଜେଲରେ ଦିନ କାଟୁଛି । କୁନୁଙ୍କ ମଧ୍ୟ ରିମାଣ୍ଡରେ ନେବା ପାଇଁ ପୁଲିସ୍ ଅବେଦନ କରିବ ବୋଲି କହିଛି ।
ଉଭୟଙ୍କୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ପୁଲିସ୍ ଜଣାଇଛି । ରିମାଣ୍ଡ ସମୟରେ ପୁଲିସ୍ ବୋମାମାଡ଼ ଓ ବୋମା ମିଳିବା ସମ୍ପର୍କରେ ତଥ୍ୟ ହାସଲ କରିବ ବୋଲି ସୂଚନା ଦେଇଛି । ଘଟଣାରେ ଅନ୍ୟ ସଦସ୍ୟ ସାମିଲ ଥିବାରୁ ସେମାନଙ୍କୁ ଧରିବା ପାଇଁ ପୁଲିସ୍ ଚଢ଼ଉ ଜାରି ରଖିଛି ।