ଭୁବନେଶ୍ୱର,(ଏଟିଆରବ୍ୟୁରୋ): ଟିକିଏ ଓଲମ ବିଲମ ଦେଖିଲେ ସାଧାରଣ ଲୋକଙ୍କ ତଣ୍ଟି ଚିପି ଫାଇନ୍ ଆଦାୟ କରୁଛି ପୁଲିସ । ଯେତେ କାକୁତି ମିନତି ହେଲେ ବି ଛାଡୁନି । ପଚାରିଲେ ନୂତନ ନିୟମ କହି ଓଲଟି ରସିଦ୍ ବଢ଼ାଇ ଦେଉଛି । ହେଲେ ନିଜ ଉପରକୁ ଆସିବା ବେଳକୁ କଥା ଓଲଟା । ସାଧାରଣ ଲୋକଙ୍କୁ ଗୋରୂଗାଈ ଭଳି ପିଟାଯାଉଛି । ବିଶ୍ୱାସ ହେଉନଥିଲେ ବି ଆଜି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଆଉ ରଣକ୍ଷେତ୍ର ପାଲଟିଛି ରାଜମହଲ ଛକ ।
ଲୋକଙ୍କ ଭୁଲ ଥିଲା ଏତିକି ସେମାନେ ଆଇନ୍ ସମସ୍ତଙ୍କ ପାଇଁ ସମାନ ବୋଲି କହିବା ସହ ପିସିଆର ଭ୍ୟାନର କାଗଜପତ୍ର ଯାଞ୍ଚ କରିବା ଲାଗି ଅଡି ବସିଥିଲେ । ଯାହା ପୁଲିସକୁ ପୂରା ଅକଳରେ ପକାଇଥିଲା । ଲୋକଙ୍କ ଏଭଳି ଜିଦ୍ ଆଗରେ ହତାସ ହୋଇ ଶେଷରେ ପୁଲିସ ଲାଠି ଚାର୍ଜ କରିଥିବା ଏବେ ଅଭିଯୋଗ ହୋଇଛି । ଫଳସ୍ୱରୂପ ଘଟଣାକୁ ନେଇ ପାଖାପାଖି ୨ଘଣ୍ଟା କାଳ ରାଜମହଲ ଛକର ସ୍ଥିତି ବିଗିଡି ଯାଇଥିଲା ।
ସବୁଠୁ ବଡ଼ କଥା ହେଉଛି ପୁଲିସର ନାଲି ଆଖିରୁ ମଧ୍ୟ ସାମ୍ବାଦିକମାନେ ବର୍ତ୍ତି ନାହାନ୍ତି । ଜଣେ କ୍ୟାମେରା ମ୍ୟାନକୁ ଗଡେଇତଡେଇ ପିଟିଛନ୍ତି ପୁଲିସ କର୍ମଚାରୀ । ଏଠି ପ୍ରଶ୍ନ ଉଠୁଛି ସାମ୍ବାଦିକଙ୍କୁ ଆକ୍ରମଣ କରିବା ପଛରେ ପୁଲିସର କେଉଁ ସ୍ୱାର୍ଥ ଲୁଚି ରହିଛି । ନା’ ଆମେ ଭାବିବାକୁ ବାଧ୍ୟ ହେବୁ ପୁଲିସ କେବଳ ଅନ୍ୟକୁ କହିପାରେ… ନିଜ ଆଖିକୁ ଆଙ୍ଗୁଠି ଯାଏନି… ।
ପୂରା ଘଟଣାଟି ଏହିପରି, ରାଜମହଲ ଛକରେ ପ୍ରତିଦିନ ଭଳି ପୁଲିସ ଗାଡି ମୋଟର ଯାଞ୍ଚ କରି ଫାଇନ ଆଦାୟ କରୁଥିଲା । ଠିକ୍ ଏହି ସମୟରେ ପୁଲିସର ଏକ ଭ୍ୟାନ ସେଠାରେ ପହଞ୍ଚିଥିଲା । ଯେଉଁଥିରେ ନମ୍ବର ପ୍ଲେଟ ନଥିବା ଅଭିଯୋଗ କରି ଲୋକେ ଭ୍ୟାନକୁ ଘେରି ଯାଇଥିଲେ ।
ପରେ ଡ୍ରାଇଭରକୁ ଲାଇସେନ୍ସଠୁ ନେଇ ଫିଟନେସ ଓ ଇନ୍ସ୍ୟୁରାନ୍ସ ଦେଖେଇବାକୁ କହିଥିଲେ । ବାସ ଏହାକୁ ନେଇ ଆରମ୍ଭ ହୋଇଥିଲା ପୁଲିସ-ଜନତାଙ୍କ କଥା କଟାକଟି । ଏହାପରେ ପୁଲିସ ଭ୍ୟାନରୁ ବିୟର ଜବତ ହୋଇଥିବା ଲୋକେ ଅଭିଯୋଗ ଆଣି ହଙ୍ଗାମା କରିଥିଲେ । କେବଳ ଏତିକି ନୁହେଁ ପରେ ମୋ’ ବସ ଓ ବିଏମସି ଗାଡିକୁ ଅଟକାଇ କାଗଜପତ୍ର ଅଛି କି’ ନାହିଁ ଦେଖାଇବାକୁ କହିଥିଲେ । ବେଳକୁ ବେଳ ସ୍ଥିତି ବିଗିଡ଼ିବାକୁ ବସିଲା । ଲୋକଙ୍କ ଏକାଜିଦ ଆଇନ ଯଦି ସମସ୍ତଙ୍କ ପାଇଁ ସମାନ ତେବେ ପୁଲିସ କ’ଣ ଉଦ୍ଧ୍ୱର୍ରେ? ତେବେ ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଶେଷରେ ଲୋକଙ୍କୁ ଘଉଡାଇବାକୁ ଯାଇ ପୁଲିସ ଆରମ୍ଭ କରିଥିଲା ଲାଠିଚାର୍ଜ ।
ପୁଲିସ ଲାଠିମାଡ଼ରେ ଏକାଧିକ ଲୋକ ଆହତ ହୋଇଥିବା ବେଳେ କେତେକ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି । ସେପଟେ ଲୋକଙ୍କ ଢ଼େଲାପଥର ମାଡ଼ରେ ପୁଲିସର କିଛି କର୍ମଚାରୀ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଏହି ଘଟଣା ପରେ ଏବେ ପୁଲିସକୁ ସୋସିଆଲ ମିଡିଆରେ ଲୋକେ ଘେରିଛନ୍ତି । ପୁଲିସକୁ ଯାଇଛାତା କହୁଛନ୍ତି । ଏବେ ବି ଯଦି ପୁଲିସ ନଚେତେ ତେବେ ଆଗକୁ ସମ୍ଭାଳ ବୋଲି ଲୋକେ ନିଜ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ, ନୂତନ ନିୟମ ଆସିବା ପରେ ଏବେ ସବୁଠି କୋକୁଆ ଭୟ । ଲୋକେ ଏହି ନିୟମକୁ ବିରୋଧ କରିବା ସହ ଏଥିପାଇଁ କିଛି ସମୟ ଦେବାକୁ ଦାବି କରୁଛନ୍ତି । କେବଳ ଏତିକି ନୁହେଁ ପୁଲିସ ଆଗ ନିଜେ ଠିକ୍ ହେଉ ତା’ ପରେ ଅନ୍ୟ ଉପରେ ନଜର ଦେଉ ବୋଲି ଖୁଲମଖୁଲା ଲୋକେ କହିଲେଣି । କାରଣ ବିଗତ ୭ଦିନ ଭିତରେ ପୁଲିସର କିଛି କର୍ମଚାରୀ ଖୋଦ ଟ୍ରାଫିକ ନିୟମର ଧଜିଆ ଉଡାଉଥିବା ନଜରକୁ ଆସିଛି । ହେଲେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ଅଭିଯୋଗ ହୋଇଛି ।