କନ୍ଧମାଳ (ଏଟିଆର ବ୍ୟୁରୋ); କିଛିଦିନର ବିରତି ପରେ ପୁଣି ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ନଜରକୁ ଆସିଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ବେଲଘରରେ ଥିବା ଏକ ସେବାଶ୍ରମର ଅଷ୍ଟମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଅଛନ୍ତି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲା ଅମୂଲ୍ୟ ପ୍ରଧାନୀ(୨୦) । ପୋଲିସର ତଦନ୍ତ ଜାରି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାକୁ ନେଇ ଏବେ ସବୁଠି ଆରମ୍ଭ ହୋଇଛି ଚର୍ଚ୍ଚା ।
ଛାତ୍ରୀ ଜଣକ ସେବାଶ୍ରମରେ ରହି ପାଠ ପଢ଼ନ୍ତି । ସେ ଅଷ୍ଟମ ଶ୍ରେଣୀର ଛାତ୍ରୀ । ତେବେ ସ୍ଥାନୀୟ ଅଞ୍ଚଳର ଅମୂଲ୍ୟ ତାଙ୍କୁ ବିଭିନ୍ନ ସମୟରେ ପ୍ରଲୋଭନ ଦେଖାଇ ତାଙ୍କୁ ଦୁଷ୍କର୍ମ କରୁଥିଲା । ନିରିହ ନାବାଳିକା ତା କଥାରେ ରାଜି ମଧ୍ୟ ହୋଇ ଯାଇଥିଲା । ତେବେ ସେ ଆଗକୁ କଣ ହେବ କିଛି ଜାଣି ପାରିନଥିଲା । ଯେଉଁ କାରଣରୁ ଅଭିଯୁକ୍ତ ନାବାଳିକା ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲା ।
ଏବେ କିଛି ଦିନ ହେବ ଛାତ୍ରୀ ଦେହ ଖରାପ ରହୁଥିଲା । ପେଟରେ ଯନ୍ତ୍ରଣା ମଧ୍ୟ ହେଉଥିଲା । ଏଣୁ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଜଣା ପଡିଥିଲା କି ସେ ୪ମାସର ଗର୍ଭବତୀ ଅଛନ୍ତି । ଏହାପରେ ଝିଅଟି ସବୁ କଥା କହି ଦେଇଥିଲା । ପରିବାର ଲୋକ ଏବଂ ସ୍କୁଲ କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଛାତ୍ରୀ ଜଣଙ୍କ ୪ ମାସର ଗର୍ଭବତୀ ଥିବାରୁ ତାଙ୍କୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରାଯାଇଛି।