ସମ୍ବଲପୁର (ଏଟିଆର ବ୍ୟୁରୋ); ଚୋରଙ୍କୁ ସାବାଡ କରୁଥିବା ପୋଲିସ ନିଜେ ହେଲେ ଚୋର । ଚାଉଳ ବ୍ୟବସାୟୀଙ୍କୁ ଧମକାଇ ଲକ୍ଷେ ଟଙ୍କା ନେଇ ମାରିଥିଲା ଚମ୍ପଟ । ବ୍ୟବସାୟୀ ଥାନାରେ ଏତଲା ଦେବା ପରେ ବନ୍ଧା ହେଲା ଚୋର ପୋଲିସ । ସମ୍ବଲପୁର ଧନୁପାଲି ଥାନାରେ ଦେଖିବାକୁ ମିଳିଛି ଏମିତି ଏକ ଘଟଣା । ଅଭିଯୁକ୍ତ ରିଜର୍ଭ ପୋଲିସ କନେଷ୍ଟବଳ ଲୋକନାଥ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ପୋଲିସ ରିପୋର୍ଟ ମୁତାବକ, ଛତିଶଗଡର ବ୍ୟବସାୟୀ ପ୍ରକାଶ ଅଗ୍ରୱାଲ ଚାଉଳ କିଣିବା ପାଇଁ ସମ୍ବଲପୁର ଆସିଥିଲେ । ତେବେ ଚାଉଳ ମନ ନପାଇନଥିଲା । ପ୍ରକାଶ ୮ଲକ୍ଷ ୮୦ ହଜାର ଟଙ୍କା ନେଇ ଆସିଥିଲେ । ଏତେ ଟଙ୍କା ପାଖରେ ଥିବାରୁ ସେ କ୍ୟାସ ନେଇ ଗଲେ ବିପଦ ଭାବି ସ୍ଥାନୀୟ ବ୍ୟାଙ୍କରେ ଡିପୋଜିଟ କରିବା ପାଇଁ ଯାଇଥିଲେ । ତେବେ ପ୍ରଥମେ ଯାଇଥିବା ବ୍ୟାଙ୍କରେ କହିଥିଲେ କି ଶନିବାର ଏତେ ଟଙ୍କା ଡିପୋଜିଟ ହୋଇ ପାରିବ ନାହିଁ । ନିକଟସ୍ଥ ଗୋଲ ବଜାର ଶାଖାକୁ ଯାଅ ସେଠାରେ ଡିପୋଜିଟ କରିବ ।
ପ୍ରକାଶ ଗୋଲ ବଜାର ଶାଖାକୁ ଯାଇଥିଲେ । ସେଠାରେ କହିଥିଲେ ୫୦ ହଜାରରୁ ଅଧିକ ଡିପୋଜିଟ ହୋଇପାରିବ ନାହିଁ । ପାନକାର୍ଡ ଦେଖାଇଲେ ଅଧିକ ଟଙ୍କା ଡିପୋଜିଟ ହେବ । ପ୍ରକାଶ ପାନକାର୍ଡ ଦେଖାଇଥିଲେ । କିନ୍ତୁ ଏହାପରେ ମଧ୍ୟ ଡିପୋଜିଟ ପାଇଁ ମନାକରିଥିଲେ ବ୍ୟାଙ୍କ କର୍ମଚାରୀ । ଏହି କଥାକୁ ନେଇ ବ୍ୟାଙ୍କ କର୍ମଚାରୀ ଏବଂ ପ୍ରକାଶଙ୍କ ମଧ୍ୟରେ ଝଗଡା ହୋଇଥିଲା ।
ଝଗଡା ହେବା ପରେ ବ୍ୟାଙ୍କ କଥା ବୁଝୁୁଥିବା ଲୋକନାଥ ପ୍ରକାଶଙ୍କୁ ବାହାରକୁ ଡାକିଥିଲା । କହିଥିଲା କି ମୋତେ କିଛି ଟଙ୍କା ଦିଅ ନହେଲେ ବ୍ଳାକ ମନି କହି ଭିତରେ ପୁରେଇ ଦେବି । ପ୍ରକାଶ ଟଙ୍କା ଦେବାକୁ ମନା କରିବାରୁ ଲୋକନାଥ ଲକ୍ଷେ ଟଙ୍କା ନେଇ ଚମ୍ପଟ ମାରିଥିଲା । ଏହାପରେ ସିନାପାଲି ଥାନାରେ ପ୍ରକାଶ ଏତଲା ଦେଇଥିଳେ । ଏହି ଏତଲା ଆଧାରରେ ପୋଲିସ ଲୋକନାକୁ ଗିରଫ କରିଛି ।
ତେବେ ଏଠାରେ ପ୍ରଶ୍ନ ଉଠୁୂଛି ସାଧାରଣ ଲୋକଙ୍କ ଧନ ଜୀବନକୁ ସୁରକ୍ଷା ଦେବା ପାଇଁ ନିୟୋଜିତ ପୋଲିସ ଯଦି ଚୋରି କରିବ ଲୋକଙ୍କ ଭରଷା ଆଉ କାହା ଉପରେ ରହିବ? ବାଡ ଯଦି ଫସଲ ଖାଇବ ତେବେ ଫସଲର କିଏ ବା ସାହା ହେବ । ତେବେ ଏହି ଘଟଣା ପ୍ରଥମ ନୁହେଁ ପୂର୍ବରୁ ବହୁ ପୋଲିସ ବାବୁ ଖାକିରେ ଦାଗ ଲଗାଇଛନ୍ତି । ଲୋକଙ୍କ ଆଗରେ ଭଦ୍ର ଦେଖାଇ ଭିତରେ ଭିତରେ ଖେଳ କରୁଛନ୍ତି ଏପରି ବହୁ ପୋଲିସ ବାବୁ ।