ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଧୀରେ ଧୀରେ ଫିଟୁଛି ଗୁମର । କିଏ ଓ କାହିଁକି ଏଭଳି ଜଘନ୍ୟ କାଣ୍ଡ ଭିଆଇଛି ସେ ସମ୍ପର୍କରେ ତଥ୍ୟ ହାସଲ ହୋଇଛି । ଖାସ ଏଥିପାଇଁ କ୍ରାଇମବ୍ରାଁଚ ଖୁଆଡକୁ ଆସିଛନ୍ତି ଏବେ ଜଣେ ସନ୍ଦିଗ୍ଧ ଯୁବତୀ । ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ରାୟପୁରର ଏହି ଯୁବତୀଙ୍କୁ ଅଟକ ରଖାଯାଇ ମାରାଥନ ଜେରା କରାଯାଉଛି । ମୃତ ସୌମ୍ୟଶେଖରଙ୍କ ସୋସିଆଲ ମିଡିଆରୁ ସମ୍ପୃକ୍ତ ଯୁବତୀଙ୍କ ସୁରାକ ମିଳିବା ପରେ ଏବେ ତାଙ୍କୁ ଉଠାଇ ଆଣିଛି କ୍ରାଇମବ୍ରାଁଚ । ତେବେ ଏହି ଯୁବତୀଙ୍କୁ ଠାବ କରିବାକୁ ବଲାଙ୍ଗୀର ପୁଲିସକୁ ନାକେଦମ ହେବାକୁ ପଡିଥିଲା । ୧୫ ଦିନ ଧରି ଖୋଳତାଡ କରିବା ପରେ ଏବେ ସେ ସ୍କାନରକୁ ଆସିଛନ୍ତି ।
କ୍ରାଇମବ୍ରାଁଚର ୪ ଜଣିଆ ଏସ୍ଆଇଟି ପ୍ରାଥମିକ ତଦନ୍ତ କରିବା ପରେ ସୌମ୍ୟ ଶେଖରଙ୍କ ଲିଙ୍କରେ ଥିବା କେତେକ ଯୁବତୀଙ୍କ ସୁରାକ ମିଳିଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କୁ ରାୟପୁରରୁ କ୍ରାଇମବ୍ରାଁଚ ଅତ୍ୟନ୍ତ ସନ୍ତର୍ପଣତାର ସହ ଉଠାଇ ଆଣି ଜେରା କରୁଛି । ଏସଆଇଟିର ଦୁଇ ଜଣ ଅଫିସରଙ୍କ ସମେତ ସାଇବର ବିଶେଷଜ୍ଞ ଯୁବତୀଙ୍କୁ ଜେରା କରୁଥିବା ସୂଚନା ମିଳିଛି । ସେପଟେ କୋରିୟର ସଂସ୍ଥା ସମ୍ପର୍କରେ ତନାଘନା କରିବା ସହ ପାର୍ସଲ ପଠାଇଥିବା ପ୍ରେରକ ସମ୍ପର୍କରେ ମଧ୍ୟ କ୍ରାଇମବ୍ରାଁଚ ତଥ୍ୟ ସଂଗ୍ରହ କରିଛି ।
ତେବେ ଜେରା କରାଯାଉଥିବା ଯୁବତୀ ଜଣକ ଭିନ୍ନ ଏକ ସମ୍ପ୍ରଦାୟର ବୋଲି ସ୍ପଷ୍ଟ କରିଛନ୍ତି ଜଣେ ବରିଷ୍ଠ ପୁଲିସ ଅଧିକାରୀ ।
ଏହି ସୂତ୍ରରୁ ମିଳିଥିବା ତଥ୍ୟାନୁଯାୟୀ ଶେଖରଙ୍କ ସୋସିଆଲ ମିଡିଆରୁ ପ୍ରଥମେ ଯୁବତୀଙ୍କ ସମ୍ପର୍କରେ ସୁରାକ୍ ମିଳିଥିଲା । ପାର୍ସଲ ବୋମା ଘଟଣା ପଛର ମୋଟିଭ ସମ୍ପର୍କରେ ପୁଲିସ ସ୍ପଷ୍ଟ ହେବା ପରେ ଅଭିଯୁକ୍ତଙ୍କ ନିକଟତର ହୋଇଥିଲା । ଏହା ପରେ ମୋବାଇଲ କଲ୍ ରେକର୍ଡରୁ ଯୁବତୀଙ୍କ ମୋବାଇଲ ନମ୍ବର ମିଳିବା ପରେ ଟ୍ରାକିଂ କରାଯାଇଥିଲା । କିନ୍ତୁ ପାର୍ସଲ ବୋମା ପଠାଇଥିବା ଯୁବକଙ୍କ ସମ୍ପର୍କରେ ପୁଲିସକୁ ଆଜି ସୁଦ୍ଧା କୌଣସି ତଥ୍ୟ ମିଳିନାହିଁ । ଏଣୁ ଯୁବତୀଙ୍କୁ ସମ୍ପୃକ୍ତ ଯୁବକଙ୍କ ସମ୍ପର୍କରେ ପଚରାଉଚରା କରାଯାଇଛି । କିନ୍ତୁ ସେ ମୁହଁ ଖୋଲିନଥିବା ଜଣାପଡିଛି । ପାର୍ସଲ ବୋମା ପଛରେ ଥିବା ମୋଟିଭ କେବଳ ‘ପ୍ରେମ’, ପ୍ରେମ ରୁ ପ୍ରତାରଣା ଓ ଶେଷରେ ପ୍ରତିଶୋଧ’ ବୋଲି ଅବଗତ ହେବା ପରେ ହିଁ ଯୁବତୀଙ୍କ ଉପରେ ତଦନ୍ତକାରୀ ଟିମର ସନ୍ଦେହ କ୍ରମଶଃ ଦୃଢ଼ୀଭୂତ ହୋଇଥିଲା ।
ତେବେ ସୌମ୍ୟଶେଖର ବହୁ ଧମକ ପାଇଥିଲେ । ଏପରିକି ତାଙ୍କ ଜୀବନ ପ୍ରତି ବିପଦ ଥିଲା । ଦେଶ ବାହାରକୁ ପଠାଯାଇଥିବା ସୌମ୍ୟଶେଖରଙ୍କ ସୋସିଆଲ ମିିଡିଆରୁ ଆଂଶିକ ରିକଭରି ପରେ ଏହି ନିଷ୍କର୍ଷରେ ପହଁଚିଥିଲା ପୁଲିସ । ପୁଲିସର କହିବାନୁଯାୟୀ ସବୁଠାରୁ ବଡ଼ କଥା ହେଉଛି ସୌମ୍ୟଶେଖର ବେଙ୍ଗାଲୁରରେ ଥିବା ବେଳେ ତାଙ୍କ ମା’ଙ୍କ ଅପେକ୍ଷା ବାପାଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ । ଏପରିକି ପ୍ରତ୍ୟେକ ଦିନ ସେ ଅତି କମରେ ୭/୮ ଥର ତାଙ୍କ ବାପାଙ୍କ ସହ କଥା ହେଉଥିଲେ । କିନ୍ତୁ ତାଙ୍କୁ ଧମକ ଦିଆଯାଇଥିବା ନେଇ ସେ କାହିଁକି ବାପାଙ୍କୁ କହିନଥିଲେ ତାହାକୁ ଗୁରୁତର ସହ ନେଇଛି କ୍ରାଇମବ୍ରାଁଚ ।