ଭୁବନେଶ୍ୱର,୨୨ ।୨(ବ୍ୟୁରୋ): ଯେତେ ଚାହିଁଲେ ବି କମୁନି । ରାଜ୍ୟରେ ସାଇବର ଅପରାଧ ଦିନକୁ ଦିନ ବଢ଼ିବାରେ ଲାଗିଛି । ରାଜ୍ୟରେ ଠକେଇ, ଏଟିଏମ୍ ସ୍କାମ୍, ଅଶ୍ଲିଳ ଭିଡିଓ ଭାଇରାଲ ଏବଂ ଅନଲାଇନ ଠକେଇ ତ’ ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି ।
୨୦୧୫-୧୬ ତୁଳନାରେ ୨୦୧୭ ମସିହାରେ ଅପରାଧିକ ମାମଲା ଡବଲ ହୋଇଛି । ୨୦୧୭ ମସିହାରେ ୮୨୪ଟି ସାଇବର ଅପରାଧ ଘଟିଥିବା ବେଳେ ୧୯୫ ଜଣ ଗିରଫ ହୋଇଥିଲେ । ୨୦୧୬ ମସିହାରେ ୩୧୭ଟି ସାଇବର ଅପରାଧ ଘଟିଥିବା ବେଳେ ୨୦୧୫ ମସିହାରେ ୩୮୫ଟି ସାଇବର ଅପରାଧ ଘଟିଥିଲା । ସେହିଭଳି ୨୦୧୬ ମସିହାରେ ସାଇବର ଅପରାଧରେ ୧୯ ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ ।
୨୦୧୬ ମସିହାରେ ୨୬୫ଟି ଏଟିଏମ୍ ଠକେଇ ହୋଇଥିଲା । ୨୦୧୭ ମସିହାରେ ୮୪ଟି ଅଶ୍ଲିଳ ଭିଡିଓ ଭାଇରାଲ ମଧ୍ୟ ହୋଇଛି । କ୍ରେଡିଟ୍ କାର୍ଡ ଠକେଇ ସଂଖ୍ୟା ୨୭ଟି ହୋଇଥିବାବେଳେ ୧୯ଟି ବ୍ୟାଙ୍କ ଠକେଇ ହୋଇଥିଲା । ସାଇବର କ୍ରାଇମ୍ ଜରିଆରେ ୭ଟି ନିଯୁକ୍ତି ସ୍କାମ୍ ହୋଇଥିଲା । ଗତ ୩ ବର୍ଷ ତୁଳନାରେ ଗତବର୍ଷ ରାଜ୍ୟରେ ସାଇବର ଅପରାଧ ଘଟିଛି । ରାଜ୍ୟରେ ଦିନକୁ ଦିନ ଅପରାଧୀମାନେ ବିଭିନ୍ନ ସାଇବର ଅପରାଧ ଘଟାଇ ଚାଲିଥିଲେ ମଧ୍ୟ ସେମାନଙ୍କୁ ଦମନ କରିବାରେ ପୁଲିସ ବିଫଳ ହୋଇଛି ।
ଅଭିଯୁକ୍ତମାନେ ଯୁବତୀମାନଙ୍କ ଭାଇରାଲ ଭିଡିଓକୁ ବିଭିନ୍ନ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲେ ସେମାନଙ୍କୁ ଧରିବାରେ କେତେକାଂଶରେ ବିଫଳ ହେଉଛନ୍ତି । ଯାହା ଫଳରେ ଅପରାଧ ଦିନକୁ ଦିନ କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି । ସେଥି ପାଇଁ ରାଜଧାନୀରେ ସାଇବର ସେଲ୍ ମଧ୍ୟ ଖୋଲାଗଲା ତଥାପି ଅପରାଧ କମିବାର ନାଁ ଧରୁନାହିଁ । ଯାହା ରାଜ୍ୟ ପାଇଁ ଉଦବେଗଜନକ ଘଟଣା ।