ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ୭ଦିନର ଖୋଳତାଡ ପରେ ଏକ ଡକାୟତି ଗ୍ୟାଙ୍ଗର ୩ଜଣଙ୍କୁ ଗିରଫ କରିଛି ପୁଲିସ । ସେମାନଙ୍କ ପାଖରୁ ୨ଟି ବାଇକ ଓ ମାରଣାସ୍ତ୍ର ସମେତ ସୁନାଅଳଙ୍କାର ଜବତ କରିଛି । ତେବେ ଘଟଣାରେ ଆହୁରି ଅନେକ ଫେରାର ଥିବା ଜଣାପଡିଛି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି । ଗିରଫ ଅଭିଯୁକ୍ତମାନେ ହେଲେ କେନ୍ଦ୍ରାପଡାର ବଳିଆ ଦାସ, ଜଗନ୍ନାଥ ଦାସ ଓରଫ ଜଗା ଓ ଯାଜପୁରର ବିଜୟ ଦାସ ଓରଫ ଚଗଲା ।
ପୁଲିସ ରିପୋର୍ଟ ଅନୁସାରେ, ଗତ ୧୨/୧୩ ତାରିଖ ରାତିରେ ଏହି ଗ୍ୟାଙ୍ଗ ଆତଙ୍କ ରିଚିଥିଲା ଚନ୍ଦକା ଅଁଚଳରେ । ଗୋଟିଏ ନୁହେଁ ୨ଟି ଘରୁ କଳାକନା ବୁଲାଇଥିଲା । ତାହା ପୁଣି ଆତଙ୍କରାଜ କରି । ଲୁଟର ଶିକାର ହୋଇଥିଲେ ଛତାବରର ଲକ୍ଷ୍ମଣ ମହାରଣା ଓ ପଳାଶପୁରର ଜେମାମଣୀ ମାଝି । ଗ୍ୟାଙ୍ଗର ୬ରୁ ୭ଜଣ ସଦସ୍ୟ ଘରେ ଧଶେଇ ପଶିବା ସହ ମାରଣାସ୍ତ୍ର ଦେଖାଇ ମାରପିଟ କରି ଲୁଟପାଟ କରିଥିବା ଅଭିଯୋଗରେ ଉଲ୍ଲେଖ ରହିଥିଲା । ତେବେ ଡକାୟତମାନେ ଓଡିଆରେ କଥାବାର୍ତା କରୁଥିବା ପୁଲିସକୁ ସୂଚନା ମିଳିଥିଲା । ଏହାପରେ ପୂରା ଗ୍ୟାଙ୍ଗକୁ ଧରିବା ଲାଗି ପୁଲିସ ଜାଲ ବିଛାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ମୋବାଇଲ ସିଡିଆରକୁ ଟ୍ରାକ କରାଯାଇଥିଲା । ପୁଲିସର ପ୍ରାଥମିକ ସ୍କାନରକୁ ଆସିଥିଲା କଟକର ଏରାଗୁଲା ଗ୍ୟାଙ୍ଗ । ପୂର୍ବ ରେକର୍ଡକୁ ଯାଁଚ କରିବା ପରେ ଏହି ଗ୍ୟାଙ୍ଗର ସୁରାକ ମିଳିଥିଲା ।