ସମ୍ବଲପୁର (ଏଟିଆର ବ୍ୟୁରୋ); ତିନଦିନ ହେଲା ନିଖୋଜଥିଲେ । ଆଜି ଡ୍ରେନରୁ ମିଳିଛି କ୍ଷତାକ୍ତ ମୃତଦେହ । ଯୁବକଙ୍କୁ ହତ୍ୟା କରିବା ପରେ ଡ୍ରେନରେ କେହି ଫୋପାଡି ଦେଇଥିବା ଅଭିଯୋଗ କରୁଛନ୍ତି ମୃତକଙ୍କ ପରିବାର । ତେବେ ଏଭଳି ଅଘଟଣ ଘଟିଛି ସମ୍ବଲପୁର ଜେଲ ଛକ ନିକଟରେ । ମୃତକ ହେଲେ ଟିକେଲାଲ ଭୋଇ । ତାଙ୍କ ଘର ସମ୍ବଲପୁର ଅଞ୍ଚଳରେ ବୋଲି ଜଣା ପଡିଛି । ପୋଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ତେବେ ପୋଲିସର ପ୍ରାଥମିକ ତଦନ୍ତରୁ ଅନୁମାନ କରିଛି କି ଏହା ହତ୍ୟା ।
ପୋଲିସ ସୂଚନା ଅନୁଯାୟୀ ତିନିଦିନ ହେବ ଟିକେଲାଲ ନିଖୋଜ ଥିଲେ । ପରିବାର ଲୋକ ତାଙ୍କୁ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ସନ୍ଧାନ ପାଇନଥିଲେ । ଶେଷରେ ସେମାନେ ସ୍ଥାନୀୟ ଧନୁପାଲି ଥାନାରେ ଏତଲା ଦେଇଥିଲେ । ତେବେ ଆଜି ସକାଳେ ଜେଲ ଛକ ନିକଟ ଡ୍ରେନରେ ଟିକେଲାଲଙ୍କ ଶବ ଭାସୁଥିବା ଦେଖିଥିଲେ ସ୍ଥାନୀୟ ଲୋକ । ଶବ ଦେଖିବା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲା ।
ଏହାପରେ ପରିବାର ଲୋକଙ୍କୁ ଖବର ପଠାଇଥିଲା ପୋଲିସ । ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଥିଲା ପୋଲିସ । ତେବେ ପରିବାର ଲୋକ ଅଭିଯୋଗ କରିଛନ୍ତି କି ତାଙ୍କୁ କେହି ହତ୍ୟା କରିବା ପରେ ଡ୍ରେନ ଫୋପାଡି ଦେଇଛି । ପରିବାର ଲୋକଙ୍କ ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ ।