କେନ୍ଦୁଝର (ଏଟିଆର ବ୍ୟୁରୋ); ଦଶା ଦୋଷ କ୍ଷମା କରିବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ବାହା ହୋଇଥିଲା । କିନ୍ତୁ ଭୁଲ ନଥାଇ ବି ସ୍ତ୍ରୀକୁ ଦଣ୍ଡ ଦେଇଛି ସ୍ୱାମୀ । ସ୍ତ୍ରୀର ଦୋଷ ହେଉଛି ଖାଇବା ଦେବାରେ ଟିକେ ବିଳମ୍ବ କରିବା । ଏହି ଛୋଟ ଭୁଲ ପାଇଁ ସ୍ତ୍ରୀକୁ ଛୁରାମାଡ କରିଛି ସ୍ୱାମୀ । ତେବେ ଏଭଳି ଅମାନବୀୟ କାଣ୍ଡ ଘଟିଛି କେନ୍ଦୁଝର ଜିଲ୍ଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ଲହଣ୍ଡା ଗ୍ରାମରେ । ଏହି ଗାଁରେ ଗୁରା ମୁଣ୍ଡା ତା ସ୍ତ୍ରୀ ନିତିମା ମୁଣ୍ଡାକୁ ଛୁରା ମାଡ କରିଥିବା ଜଣା ପଡିଛି । ନିତିମା ଚମ୍ପୁଆ ମେଡିକାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସେପଟେ ନିତିମାଙ୍କ ବାପଘର ଲୋକ ଥାନାରେ ଏତଲା ଦେବାରୁ ପୋଲିସ ଗୁରାକୁ ଅଟକ ରଖି ପଚରା ଉଚରା କରୁଛି ।
ପୋଲିସ ରିପୋର୍ଟ ମୁତାବକ ,ଗତକାଲି ସଂନ୍ଧ୍ୟାରେ ଗୁରା କାମରୁ ଆସିବା ପରେ ସ୍ତ୍ରୀକୁ ଖାଇବାକୁ ମାଗିଥିଲା । ଘରେ କିଛି କାମ କରୁଥିବାରୁ ନିତିମା ଟିକେ ବିଳମ୍ବରେ ଖାଇବା ପାଇଁ ଦେଇଥିଲେ । ଏହାକୁ ନେଇ ପ୍ରଥମେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଭୋକରେ ଥିବା ଗୁରା ମୁଣ୍ଡକୁ ପିତ ଚଢ଼ି ଯାଇଥିଲା ଏବଂ ସେ ଘରେ ଥିବା ଏକ ଛୁରାରେ ନିତିମାଙ୍କ ପେଟ,ପିଠି ଏବଂ ଶରୀରର ବିଭିନ୍ନ ଅଙ୍ଗକୁ ଛୁରାମାଡ କରିଥିଲା । ସ୍ୱାମୀ କବଳରୁ ବଞ୍ଚିବା ପାଇଁ ପାଖ ମୁଟୁଦା ଗାଁରେ ବାପ ଘରକୁ ଦୌଡି ଯାଇଥିଲେ ନିତିମା । ବାପଘର ଲୋକ ଝିଅକୁ ଲହୁ ଲୁହାଣ ଅବସ୍ଥାରେ ଦେଖିବା ପରେ ତାଙ୍କୁ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରିଥିଲେ ।
ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହେବା ଫଳରେ ନିତିମାଙ୍କ ଦେହରୁ ବହୁ ରକ୍ତସ୍ରାବ ହୋଇଛି । ଏଣୁ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଡାକ୍ତର ସୂଚନା ଦେଇଛନ୍ତି । ସେପଟେ ନିତିମାଙ୍କ ବାପଘର ଲୋକ ଗୁରାଙ୍କ ନାମରେ ଏତଲା ଦେବା ପରେ ପୋଲିସ ଗୁରାକୁ ଅଟକ ରଖି ପଚରା ଉଚରା କରୁଛି ।