ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସ୍ମାର୍ଟ ସିଟି ଭୁବନେଶ୍ୱରରେ ଏବେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଏଠାରେ ଅପରାଧିମାନେ ଏକ ପ୍ରକାରର କାୟା ବିସ୍ତାର କରିସାରିଲେଣି । ଦିନ ହେଉ ଅବା ରାତି ପୋଲିସ ଆଖିରେ ଆଙ୍ଗୁଠି ଗେଞ୍ଜି କରି ଚାଲିଛନ୍ତି ଅପରାଧ । କିନ୍ତୁ ଗତକାଲି ରାତିରେ ପୋଲିସ କବ୍ଚାରେ ପଡିଛନ୍ତି ଦୁଇ ଅପରାଧୀ । ପୋଲିସର ଏନକାଉଣ୍ଟରରେ ଦୁଇ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀ ଦୁହେଁ ହେଲେ ଅରୁଣ କୁମାର ମଲ୍ଲିକ ଏବଂ ବିବେକାନନ୍ଦ ନାୟକ ।
ପୋଲିସ ଏନକାଉଣ୍ଟରରେ ଦୁହିଁଙ୍କ ଗୋଡରେ ଗୁଳି ବାଜିବା ଯୋଗୁଁ ସେମାନେ ଖସିକି ଯାଇ ପାରିନଥିଲେ । ସେମାନଙ୍କଠାରୁ ପିସ୍ତଲ ଏବଂ ଗୁଳି ଜବତ କରିଛି ପୋଲିସ ।
ଦୁହିଁଙ୍କ ନାଁରେ ଥାନାରେ ଅନେକ ମାମଲା ରୁଜୁ ହୋଇଛି । ଏହାସହିତ ସେମାନେ ଅନେକ ଲୁଟ୍ ଏବଂ ଡକାୟତିରେ ସାମିଲ ଥିବାର ଅଭିଯୋଗ ରହିଛି । ପୂର୍ବରୁ ଡକାୟତି କରିବେ ବୋଲି ଦୁହେଁ ଯୋଜନା କରିଥିଲେ । ଏନେଇ ପୋଲିସ କାନରେ ଖବର ପଡିବା ପରେ ପୋଲିସ ସର୍ତ୍ତକ ରହିଥିଲା ଏବଂ ଗତକାଲି ରାତିରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଭଇଁଚୁଆ ଠାରେ ଦୁଇ ଅପରାଧୀଙ୍କ ଉପରକୁ ଏନକାଉଣ୍ଟର କରିଥିଲା ।