କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); କିଛି ଦିନର ନିରବତା ପରେ ପୁଣିଥରେ କେନ୍ଦ୍ରାପଡାରେ ଏନକାଉଣ୍ଟର ହୋଇଛି । କେନ୍ଦ୍ରାପଡା ସଦର ଥାନା ପୋଲିସ ଏବଂ ସ୍ପୋସାଲ ସ୍କ୍ୱାଡ ମିଳିତ ଭାବରେ ଏନକାଉଣ୍ଟର କରିଛନ୍ତି । ତେବେ ଏନକାଉଣ୍ଟର ହୋଇଥିବା ଅପରାଧୀ ହେଲେ ଗଣେଷ ମଲ୍ଲିକ ଔରଫ ଜୁଲୁ । ତାକୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଗଣେଷର ଗୋଡରେ ଗୁଳି ବାଜିଥିବା ଜଣା ପଡିଛି । ତେବେ ଗଣେଷ ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି । ସେ ୨୦୧୫ ମସିହାରୁ ଫେରାର ଥିଲା ।
ପୋଲିସ ରିପୋର୍ଟ ମୁତାବକ ଗଣେଷ ଜଣେ ଫେରାର ଅପରାଧି ଥିଲା । ସେ ଗତକାଲି କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ନିଜ ଗାଁ ହାଲପୁର ମେଲଣରେ ଯୋଗ ଦେବା ପାଇଁ ଆସିଥିଲା । ତେବେ ପୋଲିସ ବିଶେଷ ସୂତ୍ରରୁ ଖବର ପାଇବା ପରେ ଗଣେଷ ଉପରେ ଚଢ଼ାଉ କରିଥିଲା । ପୋଲିସକୁ ଦେଖିବା ପରେ ପ୍ରଥମେ ଗଣେଷ ପୋଲି ଉପରୁ ଗୁଳି ଚଳାଇଥିଲା । କିନ୍ତୁ ପୋଲିସଙ୍କର କାହାର କିଛି କ୍ଷତି ହୋଇ ନାହିଁ । ପୋଲିସର ପାଲଟା ଗୁଳି ଗଣେଷର ଗୋଡରେ ବାଜିଥିଲା । ପୋଲିସ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କେନ୍ଦ୍ରାପଡା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା ।
ପରେ ଗଣେଷର ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଗଣେଷ ନିକଟରୁ ଗୋଟିଏ ବନ୍ଧୁକ ଏବଂ ୬ଟି ଜୀବନ୍ତ ଗୁଳି ଜବତ କରିଛି । ତେବେ ଗଣେଶ ନାଁରେ କେନ୍ଦ୍ରାପଡ଼ା ସମେତ ବାଲିଚନ୍ଦ୍ରପୁର, ଜଗତସିଂହପୁର, ରାଉରକେଲା, ଯାଜପୁର, କଟକ ଓ ଖୋର୍ଦ୍ଧା ପ୍ରଭୃତି ବିଭିନ୍ନ ଥାନାରେ ଚୋରି, ଡକାୟତି, ବଳାତ୍କାର, ହତ୍ୟା ଧମକ, ହତ୍ୟା ଉଦ୍ୟମ ଓ ଦାଦା ବଟି ପରି ୪୦ରୁ ଅଧିକ ମାମଲା ରହିଛି। ସେ ୨୦୧୫ରୁ ଫେରାର ହୋଇଯାଇଥିଲା।