ଅନୁଗୁଳ (ଏଟିଆର ବ୍ୟୁରୋ); ଅସୁସ୍ଥ ହେବାରୁ ଝିଅକୁ ମେଡିକାଲରେ ଭର୍ତ୍ତି କରିଥିଲେ ବାପା । ତେବେ ଦେହ ଅଧିକ ଖରାପ ହେବାରୁ ମେଡିକାଲରେ ଝିଅର ଜୀବନ ଚାଲିଯାଇଥିଲା । ପୋଷ୍ଟମର୍ଟମ ପାଇଁ ଝିଅକୁ ମର୍ଗ ରୁମରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏବେ ଝିଅର ଆଖି ନଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ବାପା । ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନାମରେ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ତେବେ ମେଡିକାଲ କତ୍ତୃପକ୍ଷଙ୍କୁ ଏସମ୍ପର୍କରେ ପଚାରିଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ପୋଲିସର ତଦନ୍ତ ଜାରି ।
ସୂଚନା ଅନୁସାରେ, ଶୁକ୍ରବାର ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଳକ ନୂୁଆହତା ଗାଁର ଜଣେ ୪ ବର୍ଷର ଝିଅର ଦେହ ଖରାପ ହୋଇଥିଲା । ଝିଅକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ଲୋକ । ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ସେଠାରେ ମୃତ୍ୟୁ ହୋଇଥିଲା । ପୋଷ୍ଟମର୍ଟମ ପାଇଁ ରଖାଯାଇଥିଲା । ଆଜି ସକାଳେ ମର୍ଗ ରୁମକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଥିଲା । ତେବେ ଝିଅର ବାପା ଦେଖିଲା ବେଳକୁ ଆଖି ନଥିଲା ।
ମେଡିକାଲ କତ୍ତୃପକ୍ଷଙ୍କୁ ପଚାରିଥିଲେ ମଧ୍ୟ ସେମାନେ ସନ୍ତୋଷ ଜନକ ଉତ୍ତର ଦେଇନଥିଲେ । ଏହାପରେ ସେ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଜିଅର ଆଖି ମେଡିକାଲ କତ୍ତୃପକ୍ଷ ତାଡି ନେଇଛନ୍ତି । ଏହି ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଶବଟିର ଆଖି କୁଆଡ଼େ ଗଲା ମେଡ଼ିକାଲ କର୍ତ୍ତୃପକ୍ଷ କହିପାରିବେ, କିନ୍ତୁ ଏଯାଏଁ ତାଙ୍କର ମତାମତ ମିଳିପାରି ନାହିଁ ବୋଲି ଆଇଆଇସି ସୂଚନା ଦେଇଛନ୍ତି ।